ଜେନେଭା: ଇସ୍ରାଏଲ ଓ ପାଲେଷ୍ଟାଇନ ପ୍ରସଙ୍ଗରେ ଜାତିସଂଘରେ ହୋଇଥିବା ମତଦାନରୁ ଭାରତ ବିରତ ରହିଛି । ଭାରତ ସମେତ ୪୩ଟି ରାଷ୍ଟ୍ର ଭୋଟଦାନରେ ଅଂଶଗ୍ରହଣ କରିନାହାନ୍ତି । ବିରତ ରହିଥିବା ପ୍ରମୁଖ ରାଷ୍ଟ୍ରଗୁଡିକ ମଧ୍ୟରେ ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ, ଇଟାଲି, ନେପାଳ, ୟୁକ୍ରେନ ଏବଂ ୟୁକେ ଆଦି ରହିଛନ୍ତି । ବୁଧବାର ପାଲେଷ୍ଟାଇନ ପରିସୀମା ଅଞ୍ଚଳରେ ଇସ୍ରାଏଲର ବେଆଇନ ଉପସ୍ଥିତିରେ ପରିସମାପ୍ତି ଘଟାଇବା ଦାବିକରି ଏକ ପ୍ରସ୍ତାବ ଜାତିସଂଘରେ ଅଣାଯାଇଥିଲା ଏବଂ ତାହା ଉପରେ ଭୋଟ ନିଆଯାଇଥିଲା । ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ବୈଠକରେ ପ୍ରସ୍ତାବ ସପକ୍ଷରେ ୧୨୪ଟି ଭୋଟ ପଡିଥିବାବେଳେ ବିରୋଧରେ ୧୪ଟି ପଡିଥିଲା ଏବଂ ଭାରତ ସମେତ ୪୩ ରାଷ୍ଟ୍ର ଅନୁପସ୍ଥିତ ରହିଥିଲେ ।
ନିଜର ଅଭିଭାଷଣ ରଖି ଜାତିସଂଘରେ ଥିବା ପାଲେଷ୍ଟାଇନ ପ୍ରତିନିଧି କହିଥିଲେ ଆନ୍ତର୍ଜାତିକ ଆଇନର ଉଲ୍ଲଘଂନ କରାଯାଉଥିବାବେଳେ ଆନ୍ତର୍ଜାତିକ ସମୁଦାୟ ଏହାକୁ ଅଣଦେଖା କରିପାରିବେ ନାହିଁ । ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ । ଇସ୍ରାଏଲ ପକ୍ଷରୁ ଆନ୍ତର୍ଜାତିକ ଆଇନର ଉଲ୍ଲଘଂନ ଦ୍ୱାରା ଆଞ୍ଚଳିକ ଓ ବିଶ୍ୱ ଶାନ୍ତି ପ୍ରତି ବିପଦ ସୃଷ୍ଟି ହେଉଥିବା ଉକ୍ତ ପ୍ରସ୍ତାବରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ପ୍ରସ୍ତାବକୁ ଜାତିସଂଘରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ଜିଲାଡ ଏର୍ଡାନ ଅଗ୍ରାହ୍ୟ କରିଦେଇଥିଲେ । ଇସ୍ରାଏଲର ଯୁକ୍ତିଯୁକ୍ତ ଦାବିକୁ ଗୋ÷ଣ କରିବା ନିମନ୍ତେ ରାଜନୈତିକ ଉଦେ୍ଦଶ୍ୟ ରଖି ଏଭଳି ପ୍ରୟାସ କରାଯାଉଥିବା ସେ ଉଲ୍ଲେଖ କରିଥିଲେ । ଆମେରିକା କହିଛି, ଏଭଳି ପ୍ରସ୍ତାବ ଦ୍ୱାରା ଶାନ୍ତି ସ୍ଥାପନ ହୋଇପାରିବ ନାହିଁ, ବରଂ ଅଞ୍ଚଳରେ ଉତ୍ତେଜନା ବୃଦ୍ଧିପାଇବ ।