ପୁଣି ଲୋଭ ଦେଖାଇଲା କଂଗ୍ରେସ। ସାଧାରଣ ଲୋକଙ୍କୁ ଦେଲା ଗ୍ୟାରେଣ୍ଟି । ଘୋଷଣାପତ୍ରରେ ଦେଲା ଲୋଭନୀୟ ଅଫର। ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରି କରିଛି ଇସ୍ତାହାର। ବୁଧବାର ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ହରିୟାଣା ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଗ୍ୟାରେଣ୍ଟି ଅନୁଯାୟୀ ରାଜ୍ୟର ବିକାଶ ତଥା ଜନକଲ୍ୟାଣ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦେଇଛି କଂଗ୍ରେସ । ଖାର୍ଗେ କହିଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଏହା ହରିୟାଣାର ନାଗରିକ ମାନଙ୍କୁ ଉନ୍ନତ ପ୍ରଶାସନ ଏବଂ ଜନକଲ୍ୟାଣ ଯୋଜନାର ଲାଭ ପ୍ରଦାନ କରିବ । ଦଳ ରାଜ୍ୟରେ ଦୁର୍ନୀତି ମୁକ୍ତ ଶାସନକୁ ସୁନିଶ୍ଚିତ କରିବ ଏବଂ କୃଷକ, ଶ୍ରମିକ, ଯୁବକ ଏବଂ ମହିଳାଙ୍କ ସ୍ବାର୍ଥରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ । ସେହିପରି ଗ୍ୟାରେଣ୍ଟି ଅନୁସାରେ ୧୮-୬୦ ବର୍ଷର ସମସ୍ତ ମହିଳାଙ୍କୁ ମାସକୁ ୨୦୦୦ଟଙ୍କା , ୫୦୦ଟଙ୍କାରେ ଗ୍ୟାସ ସିଲିଣ୍ଡର, ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବା ମାନଙ୍କୁ ୬୦୦୦ ଟଙ୍କା ପେନସନ, କର୍ମଚାରୀମାନଙ୍କୁ ଓପିଏସ୍, ସରକାରୀ ବିଭାଗରେ ୨ ଲକ୍ଷ ନିଶ୍ଚିତ ନିଯୁକ୍ତି, ହରିୟାଣାକୁ ନିଶାମୁକ୍ତ, ଚିରଞ୍ଜୀବୀ ଯୋଜନାରେ ୨୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା, ୩୦୦ ୟୁନିଟ ମାଗଣା ବିଜୁଳି, ୧୦୦-୧୦୦ୟାର୍ଡର ମାଗଣା ପ୍ଲଟ ଏବଂ ସ୍ଥାୟୀ ଘର ଯୋଗାଇବା ପାଇଁ ଯୋଜନା, କୃଷକଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ସହ ତୁରନ୍ତ କ୍ଷତିପୂରଣ ଏବଂ ଜାତି ସର୍ଭେ କରିବ କଂଗ୍ରେସ।ତେବେ ଏହି ଘୋଷଣା ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏବଂ ହରିୟାଣା କଂଗ୍ରେସ ମୁଖ୍ୟ ଉଦୟଭାନ ମଧ୍ୟ ଉପସ୍ଥିତ ଥିଲେ। ସାତୋଟି ପ୍ରତିଶ୍ରୁତି ଏବଂ ଦୃଢ ଉଦ୍ଦେଶ୍ୟ ନେଇ ମେନିଫେଷ୍ଟୋରେ ସାତୋଟି ବଡ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ।