ନୂଆଦିଲ୍ଲୀ: ଭାରତୀୟ ନିବେଶକ ଏବେ ଗ୍ରୀସମୁହାଁ ହେବାରେ ଲାଗିଛନ୍ତି । ସେ ଦେଶର ଗୋଲଡେନ ଭିସା ଯୋଜନାରେ ନିବେଶକଙ୍କୁ ବହୁବିଧ ସୁବିଧା ସୁଯୋଗ ମିଳୁଥିବାରୁ ସେମାନେ ଗ୍ରୀସ ଯାଇ ସେଠାକାର ସ୍ଥାୟୀ ବାସିନ୍ଦା ହେବାକୁ ଆଗଭର ହେଉଛନ୍ତି । ଏହି କାରଣରୁ ଗ୍ରୀସରେ ଚଳିତ ବର୍ଷ ଜୁଲାଇରୁ ଅଗଷ୍ଟ ମଧ୍ୟରେ କୋଠାବାଡି କ୍ରୟରେ ପ୍ରାୟ ୩୭ ପ୍ରତିଶତ ବୃଦ୍ଧିଘଟିଛି ଏବଂ କ୍ରେତାଙ୍କ ମଧ୍ୟରେ ଭାରତୀୟ ନିବେଶକ ମୁଖ୍ୟତଃ ରହିଛନ୍ତି ।
୨୦୧୩ରେ ଗ୍ରୀସର ଗୋଲଡେନ ଭିସା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା; ଯେଉଁଥିରେ ସମ୍ପତ୍ତିବାଡି କ୍ଷେତ୍ରରେ ନିବେଶ ବଦଳରେ ଆବାସିକ ପରମିଟ୍ ପ୍ରଦାନ କରାଯାଉଛି । ଫଳରେ ଏହା ଅଣ ୟୁରୋପୀୟ ସଂଘ ରାଷ୍ଟ୍ରଗୁଡିକର ବାସିନ୍ଦାଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ପାଲଟିଛି । ଏହାର ସୁଯୋଗ ନେଇ ବିଦେଶର ନିବେଶକମାନେ ଗ୍ରୀସରେ ଧାଡି ଲଗାଇବା ପରେ ଗ୍ରୀସରେ ଜମି ଓ କୋଠାବାଡି ମୂଲ୍ୟ ଏବେ ବହୁ ଭାବରେ ବୃଦ୍ଧିପାଇଛି । ବିଶେଷକରି ଏଥେନ୍ସ, ଥେସାଲୋନିକି, ମାଇକୋନୋସ ଏବଂ ସାନ୍ତୋରିନି ଭଳି ସହରରେ କୋଠାବାଡି ଚାହିଦା ଅଧିକ ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଗ୍ରୀସ ସରକାର ପୂର୍ବରୁ ଏହିସବୁ ଅଞ୍ଚଳରେ ସମ୍ପତ୍ତିବାଡିରେ ନିବେଶ ସୀମା ୨ଲକ୍ଷ ୫୦ହଜାର ୟୁରୋ (ପ୍ରାୟ ୨.୨ କୋଟି ଟଙ୍କା)କୁ ବୃଦ୍ଧିକରି ୮ ଲକ୍ଷ ୟୁରୋ (ପ୍ରାୟେ ୭ କୋଟି ଟଙ୍କା) କରିଛନ୍ତି । ଏହା ସେପ୍ଟେମ୍ବର ୧ରୁ ଲାଗୁ କରାଯାଇଛି । ଅନେକ ଭାରତୀୟ ଗ୍ରୀସର ନିର୍ମାଣାଧୀନ କୋଠାବାଡିରେ ନିବେଶ କରିଛନ୍ତି ଏବଂ ଉକ୍ତ ଆବାସଗୁଡିକ ଛଅମାସରୁ ବର୍ଷକ ଭିତରେ ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି ।