ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଥିବାବେଳେ ରବିବାର ସେ ନ୍ୟୁୟର୍କରେ ପହଞ୍ଚିଛନ୍ତି। ନ୍ୟୁୟର୍କ ବିମାନବନ୍ଦରରେ ତାଙ୍କ ସ୍ଵାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଛି। ତେବେ ସେଠାରେ ସେ ଜାତିସଂଘ ମହାସଭାର ‘ସମିଟ ଅଫ ଦି ଫ୍ୟୁଚର ୨୦୨୪’କୁ ସମ୍ବୋଧିତ କରିବା ପରେ ସେଠାକାର ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବେ। ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଶନିବାର ମୋଦୀ ଆମେରିକାର ଡେଲାୱେରର ୱିଲମିଙ୍ଗଟନରେ କ୍ଵାଡ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ, ଯେଉଁଥିରେ ଭାରତ ସହିତ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସଦସ୍ୟ ରହିଛନ୍ତି। ଏହି ସମ୍ମିଳନୀରେ ୩ ରାଷ୍ଟ୍ର ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗକୁ ସମର୍ଥନ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ଆମେରିକାରୁ ୨୯୭ଟି ପ୍ରାଚୀନ କଳାକୃତିକୁ ଭାରତ ଫେରାଇ ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ହୋଇଛି। ଏହି ପୁରାତନ ସାମଗ୍ରୀଗୁଡ଼ିକୁ ବିଭିନ୍ନ ସମୟରେ ଭାରତରୁ ଆମେରିକାକୁ ଚୋରା ଚାଲାଣ କରାଯାଇଥିଲା ଏବଂ ଏଥିପାଇଁ ପୂର୍ବରୁ ଭାରତ ଅନେକ ଥର ସେଗୁଡ଼ିକୁ ଫେରାଇବାକୁ ଦାବି କରିଆସିଛି। ତେବେ ଚଳିତ ଗସ୍ତରେ ସେସବୁ ସାମଗ୍ରୀ ଭାରତ ଫେରିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ସେ ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ବର ୨୧ରେ ଆମେରିକାର ଡେଲାୱେରର ୱିଲମିଙ୍ଗଟନରେ ଚତୁର୍ଥ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଦ୍ଵିତୀୟ ଦିନରେ ନ୍ୟୁୟର୍କରେ ଜାତିସଂଘ ମହାସଭାର ଫ୍ୟୁଚର ସମ୍ମିଟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।