ଭୁବନେଶ୍ୱର,(ବ୍ୟୁରୋ): ମେଜର ଗୁରୁୱନ୍ତ ଓ ତାଙ୍କ ବାନ୍ଧବୀଙ୍କୁ ବିଚ ରାସ୍ତାରେ ମାଡ଼ ମାରିବା ଘଟଣାର ୭ ଦିନ ପରେ ଚନ୍ଦକା ଥାନା ପୋଲିସ ଶନିବାର ଅପରାହ୍ନରେ ୭ ଜଣ ଛାତ୍ରଙ୍କୁ ଗିରଫ କରିଥିଲା । ଘଟଣାଦିନ ରାତିରେ ଏହି ଛାତ୍ରମାନେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ଗାଡ଼ି ଅଟକାଇ ଗଣ୍ଡଗୋଳ କରିଥିଲେ । ଏନେଇ ଅତିରିକ୍ତ ଡିସିପି କୃଷ୍ଣ ପ୍ରସାଦ ମିଶ୍ର ଚନ୍ଦକା ଥାନାରେ ଏକ ପ୍ରେସମିଟ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ସବିଶେଷ ସୂଚନା ଦେଇଥିଲେ । ତେବେ ଏହି ଘଟଣା ଏକ ନୂଆ ମୋଡ଼ ନେଇଛି । ଗିରଫ ସମସ୍ତ ୭ ଜଣ ଛାତ୍ରଙ୍କୁ ସନ୍ଧ୍ୟାରେ ହିଁ ଭୁବନେଶ୍ୱର ଜେଏମଏଫସି କୋର୍ଟରୁ ଜାମିନ ମିଳି ଯାଇଛି । ଅର୍ଥାତ ଛାତ୍ରମାନଙ୍କୁ ଯେଉଁଭଳି ଅଭିଯୁକ୍ତ ଦର୍ଶାଇ ପୋଲିସ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଟିଆଇ ପ୍ୟାରେଡ କରି କୋର୍ଟଚାଲାଣ କରିଥିଲା, ସେଥିରେ କିଛି ବି ସୁଫଳ ମିଳିନାହିଁ । ଓଲଟା ଅପରାହ୍ନରେ ଗିରଫ ହୋଇଥିବା ଛାତ୍ରମାନେ ସନ୍ଧ୍ୟାରେ ନିଜ ଘରକୁ ଫେରିଛନ୍ତି । ଏହି ଘଟଣା ପରେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଥାନା ହାଜତରେ ଜଣେ ମେଜରଙ୍କୁ ବନ୍ଧକ କରି ବେଶ କିଛି ଘଣ୍ଟା ରଖିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କ ବାନ୍ଧବୀଙ୍କୁ ନିସ୍ତୁକ ମାଡ଼ ମାରିବା ଘଟଣାରେ ବଦନାମ ହୋଇପଡ଼ିଥିବା କମିଶନରେଟ ପୋଲିସର ଅଧିକାରୀମାନେ ଛାତ୍ରଙ୍କୁ ଗିରଫ କରି ଏହି ମାମଲାର ମୋଡ଼ ବଦଳାଇବାକୁ ଚେଷ୍ଟା କରିଥିଲେ । ତେବେ କୋର୍ଟରୁ ଛାତ୍ରଙ୍କୁ ଜାମିନ ମିଳିବା ପରେ ପୋଲିସ ଅଯଥାରେ କାହିଁକି ଛାତ୍ରମାନଙ୍କୁ ଗଣମାଧ୍ୟମ ସମ୍ମୁଖକୁ ଆଣି ସେମାନଙ୍କ କ୍ୟାରିୟର ସହ ଖେଳିଲା ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯଦି କୌଣସି ମାମଲାରେ ପୋଲିସ ଅଭିଯୁକ୍ତ ସେପରି କିଛି ଧର୍ତ୍ତବ୍ୟ ଅପରାଧ କରିନାହିଁ ବୋଲି ପୋଲିସ ଅନୁମାନ କରୁଥାଏ ତେବେ ଅଭିଯୁକ୍ତଙ୍କୁ ୪୧ ନୋଟିସ ଦେଇ ଥାନାରୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ରହିଛି । ଏହା ନ କରି ପୋଲିସ କାହାକୁ ଦେଖାଇବାକୁ ଯାଇ ଛାତ୍ରଙ୍କୁ ଗିରଫ କରି ଗଣମାଧ୍ୟମକୁ ଜଣାଇଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆହୁରି ମଧ୍ୟ ଘଟଣାର ଆରମ୍ଭ ଏହି କମେଣ୍ଟମରା ଘଟଣାକୁ ନେଇ ହୋଇଥିଲା । ରାସ୍ତାରେ ଆସୁଥିବା ବେଳେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ କିଛି ଯୁବକ ମାଡ଼ମାରିଥିବା ନେଇ ପ୍ରଥମ ଦିନରୁ ଅଭିଯୋଗ ହେଉଥିଲା । କିନ୍ତୁ ଏହି ଅଭିଯୋଗକୁ ପୋଲିସ ଗ୍ରହଣ ନ କରିବାରୁ ଏତେ ସାରା ଘଟଣା ଘଟିଛି । ଯେଉଁ କାରଣରୁ ଓଡ଼ିଶା ପୋଲିସ ବର୍ତ୍ତମାନ ସାରା ଦେଶରେ ବଦନାମ । ଘଟଣା ମୂଳ ପୃଷ୍ଠଭୂମି କମେଣ୍ଟମରା ଥିଲେ ମଧ୍ୟ ପୋଲିସ ୭ ଦିନ ହେଲା କ’ଣ କରୁଥିଲା ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଏପରିସ୍ଥଳେ ୭ ଦିନ ପରେ ଏହି ଛାତ୍ରମାନେ ହିଁ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଗଣ୍ଡଗୋଳ କରିଥିବା ପୋଲିସ କହି ତାଙ୍କୁ କୋର୍ଟଚାଲାଣ କରିଥିବା ବେଳେ ସେମାନେ ମାତ୍ର କେଇଘଣ୍ଟାରେ ଜାମିନରେ ଆସିବା ପୋଲିସର ତଦନ୍ତ ପ୍ରକ୍ରିୟା ସହ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।