ଫୁଲବାଣୀ: ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ‘ବିକାଶ ମେଳା ପ୍ରଦର୍ଶନୀ’ ଆୟୋଜିତ ହୋଇଯାଇଛି। ରବିବାର ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗୋକୁଳାନନ୍ଦ ମଲ୍ଲିକ ବିଜେପି ସରକାରର ୧୦୦ ଦିନ ପୂରଣ ଅବସରରେ ଓଡ଼ିଆ ଭାଷା ସଂସ୍କୃତି, ଓ ଐତିହ୍ୟକୁ ସମ୍ମାନ ଦେବା ସହିତ ୨୦୦ କୋଟି ପାଣ୍ଠି ବ୍ୟବସ୍ଥା ଓଡ଼ିଆ ଅସ୍ମିତା ରାଜ୍ୟ ସରକାରର ପରିଚୟ ବୋଲି କହିଥିଲେ । ରାଜ୍ୟରେ କୃଷିର ବିକାଶ ପାଇଁ ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ଏବଂ ପ୍ରତି ବ୍ଲକରେ କୃଷି ସମୃଦ୍ଧି କେନ୍ଦ୍ର ନିର୍ମାଣ ହେବା ନେଇ କହିଥିଲେ। ଏହା ସହିତ ପ୍ରାଥମିକ ଶିକ୍ଷାର ଗୁଣାତ୍ମକତା ବୃଦ୍ଧିକରିବା ଉଦ୍ଦେଶ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ସୁଭଦ୍ରା ଯୋଜନା, ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମର ବ୍ୟବସ୍ଥା, ଆୟୁଷ୍ମାନ ଭାରତ ଯୋଜନା, ଶିଶୁ ଚିକିତ୍ସାକୁ ଅଗ୍ରାଧିକାର, ଡ୍ରପ୍ ଆଉଟ୍ ହାର ରୋକିବା ଲକ୍ଷ୍ୟରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା, ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଆଦି ପ୍ରସଙ୍ଗ ଉପରେ ଗୁରୁତ୍ଵାରୋପ କରିଥିଲେ। କାର୍ଯ୍ଯକ୍ରମରେ ଅନ୍ୟ ମୁଖ୍ଯ ଅତିଥି ତଥା କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମଧ୍ୟ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ସହ ଫୁଲବାଣୀ ଦେଇ ରେଳ ଲାଇନ ସଂଯୋଗ, ୮୦୦ ଗୋଟି ବି.ଏସ୍.ଏନ୍.ଏଲ.ଟାଓ୍ବାର ନିର୍ମାଣ, ପ୍ରତି ଘରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯିବା ଉପରେ ଆଲୋକପାତ କରିଥିଲେ।
ଅପରପକ୍ଷରେ କନ୍ଧମାଳର ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ସରକାରଙ୍କ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନକୁ ପୋଲିସ ବିଭାଗ ସମସ୍ତ ସହଯୋଗ ପ୍ରଦାନ କରିବା କଥା କହିଥିଲେ । କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ ଜିଲ୍ଲାରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଧାର ଆସିବା , ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନର ଲକ୍ଷ୍ୟ ଏବଂ ଏହି ଅଭିଯାନ ଅଧୀନରେ ଓଡ଼ିଶାର କନ୍ଧମାଳକୁ ଅନ୍ତର୍ଭୁକ୍ତ କରାଯାଇଥିବା କଥା କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ମତ୍ସ୍ୟ ସମ୍ପଦ ଯୋଜନା, ସୁଭଦ୍ରା ଯୋଜନାର ହିତାଧିକାରୀ ମାନଙ୍କୁ ମୁଖ୍ୟ ଅତିଥି ଦ୍ଵାରା ସହାୟତା ରାଶି ପ୍ରଦାନ କରାଯିବା ସହିତ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଦ୍ୱାରା ବାଲିଗୁଡ଼ାର ଯୁବ ଉଦ୍ୟୋଗୀମାନଙ୍କୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଏବଂ ପ୍ରଗତି ବନ୍ଧନ ବିକାଶ କେନ୍ଦ୍ରକୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ, ୫ ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମା’ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ ।