ଫୁଲବାଣୀ: ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୯ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ୧୫ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ୬୧ ବର୍ଷୀୟ ଅଭିଯୁକ୍ତ ଧନୁ ନାୟକକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୫,୦୦୦ ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି। ଅଭିଯୁକ୍ତ କନ୍ଧମାଳର ରାଇକିଆସ୍ଥିତ କନାଡି ଗ୍ରାମର ଅଟେ। ତେବେ ଯଦି ଦୋଷୀ ଜୋରିମାନା ନ ଦେଇପାରେ ତେବେ ଆଉ ଅଧିକ ୩ଵର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି। ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ।
ସୂଚନାଯୋଗ୍ୟ ଯେ, ପୀଡିତା ନାବାଳିକା ଜଣକ ଗତ ମାର୍ଚ୍ଚ ମାସ ୮ ତାରିଖରେ ଏହି ଦୁଷ୍କର୍ମର ଶିକାର ହୋଇଥିଲେ । ପିତାମାତା ଇଟା କାମ କରିବାକୁ ଯାଇଥିବା ବେଳେ ଘରେ ଏକୁଟିଆ ଥିବାର ସୁଯୋଗ ପାଇ ଅଭିଯୁକ୍ତ ପୀଡିତାଙ୍କୁ ଘର ଭିତରକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ପିଡୀତାଙ୍କ ମାଆ କାମରୁ ଘରକୁ ଫେରିବା ପରେ କବାଟ ବାଡେଇବା ପରେ ନଖୋଲିବାରୁ ଜୋର୍ ରେ ଧକ୍କା ଦେଇ ଠେଲି ପଶି ଦେଖିବା ବେଳକୁ ଅଭିଯୁକ୍ତ ପିଡୀତାକୁ ଦୁଷ୍କର୍ମ କରୁଥିଲା। ସେତେବେଳକୁ ପିଡୀତା ଅଚେତ ଅବସ୍ଥାରେ ଥିଲେ। ଅଭିଯୁକ୍ତ ପିଡୀତାର ମାଆଙ୍କୁ ଠେଲିଦେଇ ଗାଲରେ ଚାପୁଡ଼ା ମାରି ଖସି ପଳାଇ ଯାଇଥିଲା। ଏହାପରେ ଅଭିଯୁକ୍ତର ପୁଅ ଏକଥା କାହାକୁ କହିଲେ କିମ୍ବା ଥାନାରେ ଲିଖିତ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। କିନ୍ତୁ ପିଡୀତା ର ମାଆ ରାଇକିଆ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଥାନାଧିକାରୀ ତରଣ ତପନ ବେହେରା କେଶ୍ ରେଜିଷ୍ଟ୍ରେସନ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ତେବେ ଶନିବାର ବିଚାରପତି ଏହି ମାମଲାରେ ରାୟ ପ୍ରକାଶ କରି ଅଭିଯୁକ୍ତକୁ ଦଣ୍ଡାଦେଶ ଓ ପିଡୀତା କୁ କ୍ଷତିପୂରଣ ବାବଦରେ ଅର୍ଥ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।