ଜେରୁଜେଲମ: ଇସ୍ରାଏଲୀ ସୈନ୍ୟ ଲେବାନନ ଉପରେ ସୋମବାର ଜୋରଦାର ଆକ୍ରମଣ କରିଛନ୍ତି । ଏଥିରେ ୪୯୨ଜଣଙ୍କର ପ୍ରାଣହାନି ଘଟିଛି । ଅନ୍ୟପକ୍ଷରେ ଇରାନ ସମର୍ଥିତ ହେଜବୋଲ୍ଲା ଗୋଷ୍ଠୀ ପକ୍ଷରୁ ଇସ୍ରାଏଲ ଉପରେ ୨୦୦ରୁ ଅଧିକ ରକେଟ ମାଡ କରାଯାଇଛି । ଏହାକୁ ନେଇ ଉକ୍ତ ଅଞ୍ଚଳରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ବିଭୀଷିକା ସୃଷ୍ଟି ହେବା ଆଶଙ୍କା ବୃଦ୍ଧିପାଇଛି । ସୂଚନାଯୋଗ୍ୟ ଯେ ହମାସ ଆତଙ୍କୀଗୋଷ୍ଠୀ ଇସ୍ରାଏଲ ଉପରେ ଗତବର୍ଷ ଅକ୍ଟୋବର ୭ ତାରିଖରେ ଆକ୍ରମଣ କରିବା ପରଠାରୁ ଉକ୍ତ ଅଞ୍ଚଳରେ ଆକ୍ରମଣ ଓ ଧ୍ୱଂସଲୀଳା ଚାଲିଛି ।
ଇସ୍ରାଏଲ ଆକ୍ରମଣର କଡା ଜବାବ ଦେବାକୁ ଯାଇ ହେଜବୋଲ୍ଲା ଆତଙ୍କୀ ଗୋଷ୍ଠୀ ପକ୍ଷରୁ ଶତାଧିକ ରକେଟ ଆକ୍ରମଣ କରାଯିବାରୁ ଉତ୍ତର ଇସ୍ରାଏଲର ହାଇଫା, ଆଫୁଲା, ନଜାରେଥ ଆଦି ସହରରେ ସତର୍କ ସୂଚନା ପ୍ରଦାନକାରୀ ସାଇରନ ଅବିରତ ବାଜିଥିଲା । ହେଜବୋଲ୍ଲା ପକ୍ଷରୁ କୁହାଯାଇଛି ଯେ ସେମାନେ ଇସ୍ରାଏଲର ସାମରିକ ସ୍ଥଳ, ଘାଟି ଏବଂ ବାୟୁସେନା କ୍ଷେତ୍ରଗୁଡିକୁ ଲକ୍ଷ୍ୟକରି ରକେଟ ଆକ୍ରମଣ କରିଛନ୍ତି । ଇସ୍ରାଏଲ ଆକ୍ରମଣ ଭୟରେ ଦକ୍ଷିଣ ଲେବାନନର ସହର ଓ ଗ୍ରାମଗୁଡିକରୁ ହଜାର ହଜାର ଲୋକ ରାଜଧାନୀ ବେରୁଟ ଆଡକୁ ପଳାଇ ଯାଇଛନ୍ତି ।
ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ମହିଳା ଓ ଶିଶୁଙ୍କ ସମେତ ୪୯୨ ଜଣଙ୍କର ଇସ୍ରାଏଲ ଆକ୍ରମଣରେ ପ୍ରାଣହାନି ଘଟିଛି । ଏଥିରେ ଅନ୍ୟ ପ୍ରାୟ ୧୬୪୫ ଜଣ ଆହତ ହୋଇଛନ୍ତି । ଏହା ୧୯୭୫-୧୯୯୦ ଗୃହଯୁଦ୍ଧ ପରବର୍ତ୍ତୀ ସମୟରେ ଦିନକ ମଧ୍ୟରେ ସର୍ବାଧିକ ସଂଖ୍ୟକ ମୃତୁ୍ୟ ବୋଲି କୁହାଯାଉଛି । ତାହାସହିତ ୨୦୦୬ରେ ଇସ୍ରାଏଲ-ହେଜବୋଲ୍ଲା ହିଂସା ସୃଷ୍ଟି ପରଠାରୁ ସବୁଠାରୁ ଭୟାନକ ଦିନ ହୋଇଛି । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ତାଙ୍କ ରାଷ୍ଟ୍ର ଉତ୍ତର ସୀମାରେ ନିରାପତ୍ତା ସନ୍ତୁଳନରେ ଆଇଡିଏଫ ପରିବର୍ତ୍ତନ କରୁଛି ।