ଭୁବନେଶ୍ଵର: ସୋମବାରଠାରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦଶହରା ପୂଜା ବୋନସ୍ ଏବଂ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଦାବିରେ କର୍ମଚାରୀମାନେ ହସ୍ପିଟାଲ ସମ୍ମୁଖରେ ପ୍ରଶାସନିକ ବିଭାଗ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି। ଏହା ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ଏନେଇ ପୋଲିସ କର୍ମଚାରୀଙ୍କୁ ବୁଝାସୁଝା କରିଥିବା ସତ୍ତ୍ୱେ ଦରମା ବୃଦ୍ଧି ସହ ଦଶହରା ବୋନସ ନ ମିଳିବା ପର୍ଯ୍ୟନ୍ତ ସେମାନଙ୍କର ଧାରଣା ଜାରି ରହିବ ବୋଲି କର୍ମଚାରୀମାନେ କହିଛନ୍ତି। ଏ ପ୍ରସଙ୍ଗରେ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଯେ, ‘‘କାର୍ଯ୍ୟରେ ଅବହେଳା କରାଯାଉଛି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବା ସହିତ ଆଉଟସୋର୍ସ କମ୍ପାନୀର ଅଧିକାରୀଙ୍କୁ ସଫେଇ କର୍ମଚାରୀଙ୍କ ଧାରଣା ନେଇ ଅବଗତ କରାଯାଇଛି।’’ ଏହାସହ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସେ ଅନୁରୋଧ କରିଛନ୍ତି।
ଅପରପକ୍ଷରେ ହସ୍ପିଟାଲର ବିଭିନ୍ନ କାର୍ଯ୍ୟ ଠପ୍ ହୋଇପଡିଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟି ପଡୁଛି। ଏହାସହ ଚାରିଆଡେ କୁଢ କୁଢ ଆବର୍ଜନା ପଡ଼ିବା ସହିତ ଶୌଚାଳୟରୁ ପାଣି ବାହାରି ୱାର୍ଡ ବାରଣ୍ଡାରେ ବୋହିଥିଲା। ସେହିପରି କ୍ୟାବିନ ସଫା ହୋଇ ନଥିବାରୁ ରୋଗୀମାନଙ୍କୁ କ୍ୟାବିନ୍ ମିଳି ପାରିନଥିବା ବେଳେ ଡଷ୍ଟ୍ବିନ୍ରୁ ଖାଦ୍ୟ ସହ ଗଜ କପଡ଼ା, ରକ୍ତଲଗା ତୁଳା, ମେଡିସିନ ଖୋଳ ଆଦି ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଆହୁରି ମଧ୍ୟ ଷ୍ଟ୍ରେଚର ଓ ହୁଇଲ ଚେୟାର ସଫା ହୋଇ ନଥିବାରୁ ରୋଗୀଙ୍କୁ ତାହା ଦିଆଯାଇ ପାରି ନଥିଲା। ଏହାଯୋଗୁଁ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦାବି ପୂରଣ ନ ହେଲେ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶଥାଉ କି, ଗତବର୍ଷ ମଧ୍ୟ ତିନିଦିନ ଧରି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଦ୍ୱାରା ହସ୍ପିଟାଲ ପରିସର ଦୁର୍ଗନ୍ଧମୟ ହୋଇଯାଇଥିଲା।