ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶ ସ୍ଥିତ ବିଶ୍ବପ୍ରସିଦ୍ଧ ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶାଯାଉଥିବା ଘଟଣା ଏବେ ସାରା ଭାରତରେ ଆଲୋଡନ ସୃଷ୍ଟି କରିଛି। ତେବେ ଏହି ପରିପ୍ରେକ୍ଷୀରେ ଓଡିଶାର ସମସ୍ତ ମନ୍ଦିରରେ ଓମଫେଡ୍ ଦ୍ଵାରା ପ୍ରସ୍ତୁତ ବିଶୁଦ୍ଧ ଘିଅ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରିବାକୁ ଓଡିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ଓମଫେଡ୍ ଘିଅ ମନ୍ଦିରରେ ବ୍ୟବହାର କରାଗଲେ ଅପମିଶ୍ରଣକୁ ରୋକାଯିବା ସଙ୍ଗେ ସଙ୍ଗେ ଭକ୍ତ ମାନଙ୍କ ଅତୁଟ ଆସ୍ଥା ଓ ବିଶ୍ଵାସକୁ ସମ୍ମାନ ଦିଆଯାଇପାରିବ। ଏହାବ୍ୟତୀତ ରାଜ୍ୟରେ ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ ଓ ଘିଅ ଉତ୍ପାଦନ ବୃଦ୍ଧି ପାଇବ। ଓ ଅଧିକରୁ ଅଧିକ ଲୋକ ରୋଜଗାର ପାଇପାରିବେ। ଗୋଟିଏପଟେ ରାଜ୍ୟର ଭକ୍ତଙ୍କ ବିଶ୍ଵାସ ଏବଂ ଅନ୍ୟପଟେ ଗ୍ରାମାଞ୍ଚଳରେ ଥିବା ବେକାରୀଙ୍କୁ ରୋଜଗାରକ୍ଷମ କରାଇବା ଲକ୍ଷ୍ୟ ନେଇ ସବୁ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବାକୁ ଶ୍ରୀବେହେରା ଦାବି କରିଛନ୍ତି।