ଭୁବନେଶ୍ୱର: କେଶୁରାସ୍ଥିତ ସୀତାରାମ ମଠ ପ୍ରାଙ୍ଗଣରେ ଡିଭାଇନ୍ ନଗର ଉନ୍ନୟନ ପରିଷଦର ଦ୍ୱିତୀୟ ବାର୍ଷିକୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପରିଷଦର ସଭାପତି ଶ୍ରୀ ରାମନାରାୟଣ ବିଶ୍ୱାଳ ସଭାପତିତ୍ୱ କରି ଉନ୍ନୟନ ପରିଷଦର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରିଷଦର ସେକ୍ରେଟାରୀ ଶ୍ରୀ ତପନ କୁମାର ବରାଳ ସଂପାଦକୀୟ ବିବରଣୀ ପାଠ କରିବା ସହିତ ପରିଷଦ କିପରି ଘାତ-ପ୍ରତିଘାତ ଅତିକ୍ରମ କରି ଉନ୍ନତି ପଥରେ ଆଗେଇ ଚାଲିଛି ତାହା ଉପରେ ଆଲୋକପାତ କରିଥିଲେ । ଏହାସହ କଲୋନୀର ଆଲୋକୀକରଣ, ସଫେଇ ଗାଡ଼ି ମାଧ୍ୟମରେ ଆବର୍ଜନା ଉଠାଇବା, ନୂଆ ରୂପରେ କଲୋନୀର ରାସ୍ତା ତିଆରି ସହ କଲୋନୀ କିପରି ସର୍ବାଙ୍ଗସୁନ୍ଦର ହୋଇପାରିଛି ସେ ବାବଦରେ ସୂଚନା ଦେଇଥିଲେ । ଏହାସହ କୋଷାଧ୍ୟକ୍ଷ ମାନସ କୁମାର ମଣ୍ଡଳ ବିଗତ ବର୍ଷର ଆୟବ୍ୟୟର ହିସାବ ପାଠକରି ପରିଷଦର ଆର୍ଥିକ ସ୍ଥିତି କିପରି ମଜବୁତ ହେବ ସେ ପ୍ରସଙ୍ଗରେ ଉପସ୍ଥିତ ସମସ୍ତ ସଭ୍ୟମାନଙ୍କର ମତାମତ ଲୋଡ଼ିଥିଲେ ।
ଉକ୍ତ ବୈଠକରେ ଏମ. ରାଧାକୃଷ୍ଣନ, ବୈଷ୍ଣବ ମହାନ୍ତି,କାର୍ତ୍ତିକେଶ୍ୱର ପ୍ରଧାନ, ପ୍ରଫୁଲ୍ଲ କୁମାର ମହାନ୍ତି, ରଣଜିତ ଦାସ, ବିଷ୍ଣୁ ପ୍ରସାଦ ମହାନ୍ତି, ପ୍ରସନ୍ନ କୁମାର ଦାସ, ବିପିନ କୁମାର ମଲ୍ଲିକ, କୌଳାସ ମଲ୍ଲିକ ଓ ଏସ. ଏ. ହୁସେନ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ଭୁବନେଶ୍ୱର ମହାନଗର କର୍ପୋରେଟର ଶ୍ରୀଧର ଜେନାଙ୍କ ସହଯୋଗ ପାଇଁ ପରିଷଦ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିବା ବେଳେ ଶେଷରେ ପ୍ରଫୁଲ୍ଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।