ଭୁବନେଶ୍ୱର,(ବ୍ୟୁରୋ): ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବୁଧବାର ଏହି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏହି ମାମଲାରେ ବୁଧବାର ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଭରତପୁର ଥାନାରେ ପହଞ୍ଚିଥିଲେ । ପରେ ଏହି ମାମଲାର ଅଭିଯୋଗକାରୀ ପୀଡ଼ିତା ଯୁବତୀ ଏବଂ ତାଙ୍କ ବନ୍ଧୁ ମେଜର ମଧ୍ୟ ଥାନାରେ ପହଞ୍ଚିବା ପରେ ପ୍ରଥମେ ଘଟଣା ଦିନ ଥାନା ପରିସରରେ କ’ଣ ସବୁ ହୋଇଥିଲା ଏନେଇ ତଦନ୍ତକାରୀ ଟିମକୁ ଅବଗତ କରାଇଥିଲେ । ଅର୍ଥାତ କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କୁ ଉଭୟ ମେଜର ଏବଂ ତାଙ୍କ ବାନ୍ଧବୀ ଥାନା ପରିସରରେ ସିନ ରିକ୍ରିକେଟ କରି ଦେଖାଇଥିଲେ । ଉଭୟ କେଉଁ ସମୟରେ ଥାନାରେ ପହଞ୍ଚିଲେ, ସେଠାରେ ପହଞ୍ଚିବା ପରେ ଥାନାର କେଉଁ ସ୍ଥାନରେ ତାଙ୍କୁ ଅଟକାଯାଇଥିଲା, ଏସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ନିକଟରେ ପୀଡ଼ିତା ବଖାଣିଥିଲେ । ପରେ ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମର ସଦସ୍ୟମାନେ ଘଟଣାଦିନ ଚନ୍ଦକା ଥାନା ଅନ୍ତର୍ଗତ ପଥରଗାଡ଼ିଆର ସୁନ୍ଦରପୁର ଅଞ୍ଚଳକୁ ଯାଇଥିଲେ। ସେଠାରେ ପୀଡ଼ିତା ଜଣଙ୍କ ଘଟଣା ଦିନ ତାଙ୍କ ସହ କେଉଁଭଳି ଭାବେ ରୋଡରୋମିଓମାନେ ବ୍ୟବହାର କରିଥିଲେ, କିପରି ତାଙ୍କ ଗାଡ଼ିକୁ ଓଭରଟେକ କରିବା ପରେ ତାଙ୍କ ଗାଡ଼ି ସମ୍ମୁଖରେ ରୋଡରୋମିଓମାନେ ନିଜ ଗାଡ଼ିକୁ ଆଡା ପକାଇ ରଖିଥିଲେ ସେ ସମସ୍ତ ଜିନିଷ ଗୋଟିଗୋଟି କରି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ପୀଡ଼ିତା ଜଣଙ୍କ କହିଥିଲେ । ଏପରିକି ପୋଲିସର ଗାଡ଼ିକୁ ମଧ୍ୟ ସେଠାରେ ସିନରିକ୍ରିଏସନ କାର୍ଯ୍ୟରେ ବ୍ୟବହାର କରାଯାଇ ଡେମୋ ଦେଖାଯାଇଥିଲା । ପରେ ପୀଡ଼ିତା ଏବଂ ତାଙ୍କ ବନ୍ଧୁ ମେଜରଙ୍କ ବୟାନକୁ ସିବି ଟିମର ଅଧିକାରୀମାନେ ରେକର୍ଡ କରିଥିଲେ । ତେବେ ଏସମସ୍ତ ଘଟଣାର ୩୦ଡିଗ୍ରୀ ପଟରୁ ଭିଡ଼ିଓ ରେକର୍ଡି କରାଯାଇଥିବା ବେଳେ ସିନ ରିକ୍ରିଏସନ ସମୟରେ ଫରେନ୍ସିକ ଟିମ ସଦସ୍ୟଙ୍କ ସାଇଣ୍ଟିଫିକର ଟିମର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ପୂର୍ବାହ୍ନରେ ପୀଡ଼ିତା ଏବଂ ମେଜରଙ୍କ ବୟାନ ରେକର୍ଡ ଓ ସିନ ରିକ୍ରିଏସନ କରାଯିବା ପରେ ଅପରାହ୍ନରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଘଟଣା ଦିନ ଥାନାରେ ଉପସ୍ଥିତ ଥିବା କର୍ମଚାରୀମାନଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ବୟାନ ରେକର୍ଡ କରିଛି । ଏପରିକି ଏହି ମାମଲାରେ ନିଲମ୍ବିତ ହୋଇଥିବା ପୂର୍ବତନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ୫ ଜଣ ପୋଲିସ କର୍ମଚାରୀଙ୍କ ବୟାନକୁ ମଧ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ରେକର୍ଡ କରିଛନ୍ତି । ଘଟଣାଦିନ ମେଜର ଓ ତାଙ୍କ ବାନ୍ଧବୀ କେଉଁ ସମୟରେ ଆସିଲେ, କଣ ସବୁ କଲେ ସେ ନେଇ ପୋଲିସ କର୍ମଚାରୀମାନେ ନିଜର ପକ୍ଷ କ୍ରାଇମବ୍ରାଞ୍ଚ ନିକଟରେ ରଖିଥିଲେ ।
ଦୀନକୃଷ୍ଣଙ୍କର ହେବ ପଲିଗ୍ରାଫ : ଭରତପୁର ଥାନାର ନିଲମ୍ବିତ ଥାନାଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ହେବ ପଲିଗ୍ରାଫ ଟେଷ୍ଟ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ଆବେଦନ କରାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହ ଏନେଇ ଦୀନବନ୍ଧୁଙ୍କ ସ୍ୱୀକାରକ୍ତିକୁ ଅପେକ୍ଷା କରିଥିଲେ । ଦୀନବନ୍ଧୁ ବୁଧବାର କୋର୍ଟରେ ହାଜର ହୋଇ ନିଜ ତରଫରୁ ଏହି ଟେଷ୍ଟ ପାଇଁ ରାଜିଥିବା କୋର୍ଟକୁ ଲିଖିତ ଭାବେ ଜଣାଯାଇଛି । ଦୀନକୃଷ୍ଣଙ୍କ ସ୍ୱୀକାକୃତି ପରେ ଆଗାମୀ ଦିନରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗୁଜରାଟ ସ୍ଥିତ ଗାନ୍ଧୀନଗର ସ୍ଥିତ ଫରେନ୍ସିକ ଲାବ୍ରୋଟେରୀକୁ ନେଇ ସେଠାରେ ତାଙ୍କର ପଲିଗ୍ରାଫ ଟେଷ୍ଟ ସହ ନାର୍କୋ ଆନାଲିସସ ଓ ବ୍ରେନ ମେକିଙ୍ଗ ଟେଷ୍ଟ କରିବ ବୋଲି ସ୍ପଷ୍ଟ କରାଯାଇଛି । ଦୀନକୃଷ୍ଣଙ୍କ ଏଭଳି ନିଷ୍ପତ୍ତିକୁ ପୋଲିସ ମହଳରେ ସ୍ୱାଗତ କରାଯାଇଛି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପୋଲିସ ବଦନାମ ହୋଇଛି । ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣଙ୍କ ନାମରେ ପୀଡ଼ିତା ଯୁବତୀ ଜଣଙ୍କ ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ପୋଲିସକୁ ବେଶ ହଟହଟା ହେବାକୁ ପଡ଼ିଥିଲା । ତେଣୁ ନାର୍କୋ ଟେଷ୍ଟ ପରେ ସତ କ’ଣ ତାହା ପଦାକୁ ଆସିବ ବୋଲି ପୋଲିସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।