ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାରର ଦକ୍ଷିଣ ଉପକୂଳ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଗୁରୁବାର ପାଇଁ ୧୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼। ପୁରୀ, ଖୋର୍ଦ୍ଧା, ଜଗସିଂହପୁର, କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ତେବେ ଲଘୁଚାପ ଦୁର୍ବଳ ହେବା ସହିତ ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡରେ ସକ୍ରିୟ ରହିଛି । ରାଜ୍ୟରେ ଶୁକ୍ରବାରଠାରୁ ପାଗରେ ପରିବର୍ତ୍ତନ ହେବା ସହିତ ବର୍ଷାର ପରିମାଣ କମିପାରେ। କିନ୍ତୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ ହୋଇଛି। ପ୍ରବଳ ବର୍ଷା ନେଇ ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ଅପରପକ୍ଷରେ ମୟୂରଭଞ୍ଜର କାଳଡ୍ୟାମ ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଁ ଡ୍ୟାମର ବିପଦ ସଂକେତ ୭୭. ୭୦ ମିଟର ଥିବା କାରଣରୁ ଗେଟ୍ ଖୋଲାଯାଇଛି । ଏବେ ଡ୍ୟାମ ଭିତରକୁ ୩୭. ୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏକ ଗେଟ ମଧ୍ୟ ଦେଇ ୭୨. ୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ସୁନେଇ ଡ୍ୟାମର ମଧ୍ୟ ଗୋଟିଏ ଗେଟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଂଜିନିୟର।