ତେଲ୍ ଅବିବ: ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ପରେ ଏବେ ମଧ୍ୟ-ପ୍ରାଚ୍ୟରେ ଆଉ ଏକ ବଡ ଯୁଦ୍ଧ ସଙ୍କଟ ଦେଖା ଦେଇଛି। ତେବେ ଇସ୍ରାଏଲ-ହେଜବୁଲ୍ଲା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ଲେବାନନରୁ ଇରାନର ସମର୍ଥିତ ଆତଙ୍କୀ ଗୋଷ୍ଠୀ ହେଜବୁଲ୍ଲା ବିରୋଧରେ ଗତ ସପ୍ତାହେ ଧରି ପ୍ରଚଣ୍ଡ ଆକ୍ରମଣ ଜାରି ରଖିଥିବା ବେଳେ ଇସ୍ରାଏଲ ଏବେ ସୀମାପାର ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଛି । ତେବେ ଏହି ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରପତି ଜୋ.ବାଇଡେନ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ଏକ ଗଣମାଧ୍ୟମ ପ୍ରତିକ୍ରିୟାରେ ସେ କହିଛନ୍ତି, ‘ମଧ୍ୟ-ପ୍ରାଚ୍ୟରେ ଏକ ବଡ ତଥା ପୂର୍ଣ୍ଣ ଯୁଦ୍ଧର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ହେଲେ ରକ୍ତପାତ ରୋକିବାର କୌଣସି ରାସ୍ତା ବାହାରିବା ଉଚିତ ।’
ସୂଚନାଯୋଗ୍ୟ ଯେ, ବୁଧବାର ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦର ତେଲ୍ ଅବିବ ସ୍ଥିତ ମୁଖ୍ୟାଳୟକୁ ଟାର୍ଗେଟ କରି ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ହେଜବୁଲ୍ଲା ପକ୍ଷରୁ ନିକ୍ଷେପ କରାଯାଇଥିବା କାଦର-୧ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବାବେଳେ ଏହି ଆକ୍ରମଣକୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବିଫଳ କରିଥିବା ଜଣା ପଡିଛି। କେନ୍ଦ୍ରୀୟ ଇସ୍ରାଏଲରେ ଏହି କ୍ଷେପଣାସ୍ତ୍ରକୁ ନଷ୍ଟ କରିବାରେ ‘ଆଇରନ୍ ଡୋମ୍’ ସଫଳ ହୋଇଛି। ଦକ୍ଷିଣ ଲେବାନନ୍ରେ ଯେଉଁ ସ୍ଥାନରୁ ଏହି କ୍ଷେପଣାସ୍ତ୍ର ଉତ୍କ୍ଷେପଣ କରାଯାଇଥିଲା ସେହି ସ୍ଥାନକୁ ତତ୍କାଳ ଇସ୍ରାଏଲ ସେନା ଟାର୍ଗେଟ୍ କରିଛି।
ଅପରପକ୍ଷେ ଏପରି ସ୍ଥିତିରେ ଗାଜା ଭଳି ଲେବାନନ୍ ସ୍ଥିତି ସଂଗୀନ ହେବା ନେଇ ମଧ୍ୟପ୍ରାଚ୍ୟର ଅନେକ ସାମରିକ ବିଶେଷଜ୍ଞଙ୍କ ମନ୍ତବ୍ୟ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହାର ପ୍ରତିକ୍ରିୟାରେ ଇରାନ୍ କହିଛି ଯେ ଲେବାନନ୍କୁ କୌଣସି ପରିସ୍ଥିତିରେ ଆଉ ଏକ ଗାଜାରେ ପରିଣତ ହେବାକୁ ଦିଆଯିବ ନାହିଁ ଏବଂ ଇସ୍ରାଏଲକୁ ତା’ର କର୍ମ ପାଇଁ ଶାସ୍ତି ମିଳିବ।