କଲକାତା: ଡାକ୍ତରୀ ଛାତ୍ରୀ ବଳାକ୍ରାର ଓ ହତ୍ୟା ଘଟଣାରେ ପ୍ରମାଣ ଲୁଚାଇବା ନେଇ ନିନ୍ଦିତ ହୋଇଥିବା କଲକାତା ପୋଲିସର ଆଉ ଏକ କଳା କାରନାମା ଏବେ ସର୍ବସମ୍ମୁଖକୁ ଆସିଛି । କାର ଡ୍ରାଇଭରଙ୍କୁ ଧମକ ଚମକ ଦେବା ଏବଂ ବଟି ଆଦାୟ ଅଭିଯୋଗରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି । କାର ଡ୍ରାଇଭର ଜଣକ ଅଭିଯୋଗ କରିବା ପରେ ପୋଲିସ ବିଭାଗର ଉଚ୍ଚ ପଦାଧିକାରୀ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
କାର ଡ୍ରାଇଭର କରିଥିବା ଅଭିଯୋଗ ଅନୁଯାୟୀ ଦୁଇ ପୋଲିସ କର୍ମଚାରୀ ତାଙ୍କ ସହିତ ଅଗଷ୍ଟ ମାସରେ ଯୋଗାଯୋଗ କରି ତାଙ୍କ କାର ଭଡା ନେବାକୁ କହିଥିଲେ । ପରେ ସେମାନେ ଅଗଷ୍ଟ ୨୯ ତାରିଖରେ ଉକ୍ତ କାର ଡ୍ରାଇଭରଙ୍କୁ ଧରି ତାଙ୍କ କାରରେ କଲକାତାର ବାଲିଗଞ୍ଜ ଅଞ୍ଚଳରୁ ବାହାରିଥିଲେ । ସେମାନେ ପୂର୍ବ ବର୍ଦ୍ଦୱାନର ଶକ୍ତିଗଡ ଜିଲାକୁ ଯିବାର ଥିଲା । ଯିବା ସମୟରେ କଲକାତାର ରାଇଟର୍ସ ବିଲଡିଂ ନିକଟରେ ଦୁଇ ପୋଲିସ କର୍ମଚାରୀ କାର ଅଟକାଇବାକୁ କହିଥିଲେ । ପରେ ସେମାନେ କିଛି କାମରେ ରାଇଟର୍ସ ବିଲଡିଂକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେମାନେ କାର ଡ୍ରାଇଭରକୁ ମାଡମାରି ତାଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଦାବି କରିଥିଲେ । ଏପରିକି ସେମାନେ ତାଙ୍କୁ ମିଛ ମାମଲାରେ ଛନ୍ଦିଦେବାକୁ ଧମକ ମଧ୍ୟ ଦେଇଥିଲେ । ଭୟରେ ଡ୍ରାଇଭର ଜଣକ ୨ ଲକ୍ଷ ଟଙ୍କା ଯୋଗାଡ କରି ସେମାନଙ୍କୁ ଦେଇଥିଲା । ତାଙ୍କ ଅଭିଯୋଗ ପାଇବା ପରେ କଲକାତା ପୋଲିସ ସେପ୍ଟେମ୍ବର ୨୪ରେ ଅଭିଯୁକ୍ତ ଦୁଇ ପୋଲିସ କର୍ମଚାରୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଅଧିକ ପଚରା ଉଚରା ନିମନ୍ତେ ଅଦାଲତ ପୋଲିସ ହାଜତକୁ ପଠାଇ ଦେଇଛନ୍ତି ।