ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାରର ଦକ୍ଷିଣ ଉପକୂଳ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଲଘୁଚାପ ଦୁର୍ବଳ ହେବା ସହିତ ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡରେ ସକ୍ରିୟ ରହିଛି । ତେବେ ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର। କିନ୍ତୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ନାହିଁ। । ଏହି ଲଘୁଚାପ ପ୍ରଭାବରେ ଓଡିଶା ସମେତ ପୂର୍ବ ଭାରତରେ ଅବପାତ ସୃଷ୍ଟିର ସମ୍ଭାବନା ମାତ୍ର ୧୦-୨୦ % ରହିବା ନେଇ ଭାରତୀୟ ପାଣିପାଗ ଆକଳନ କରିଛି।
ଆଇଏମଡିର ଏସଏନଇପି ଜିଏଫଏସ୍ ଓ ଇସିଏମଡବ୍ଲୁଏଫ ମଡେଲର ଆକଳନ ଅନୁସାରେ, ଅକ୍ଟୋବରର ପ୍ରଥମ ସପ୍ତାହ ବା ୬ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।ଆଇଏମଡିର ଏକାଧିକ ମଡେଲ୍ ଅନୁସାରେ, ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶର ପଶ୍ଚିମ ଭାଗରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ୪୦ ରୁ ୬୦ % ରହିଛି।
ଅପରପକ୍ଷରେ ରାଜ୍ୟରେ ଏବେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ପାଗରେ ପରିବର୍ତ୍ତନ ହେବା ସହିତ ବର୍ଷାର ପରିମାଣ କମିବା ନେଇ ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିନ୍ତୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ ହୋଇଛି। ଶୁକ୍ରବାର ଉତ୍ତର ଓଡି଼ଶାର କିଛି ଅଂଚଳରେ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଆକଳନ କରିଛି। ଏହି ସମୟରେ ପ୍ରବଳ ବର୍ଷା ହେବା ନେଇ ୫ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ଭଦ୍ରକ, ମୟୂରଭଂଜ, ବାଲେଶ୍ବର ଓ ସୁନ୍ଦରଗଡ । ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ ର ଜଳସ୍ତର ୬୩୦ ଫୁଟ୍ ଥିବା ବେଳେ ୪ଟି ଗେଟ୍ ଖୋଲା ରହିଛି ଏବଂ ୪ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।