ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ଵରସ୍ଥିତ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦଠାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ଏକ ସମ୍ବର୍ଦ୍ଧନା ସମାରୋହରେ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ ୨ ଜଣ ସନ୍ଥ କବୀର ଓ ୩ ଜଣ ଜାତୀୟ ହସ୍ତତନ୍ତ ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ବରଗଡ଼ ଜିଲ୍ଲାର ଶ୍ରୀ ହରିଲାଲ ମେହେର ଓ ଶ୍ରୀ ରାମକଷ୍ଣ ମେହେରଙ୍କୁ ସନ୍ଥ କବୀର ପୁରସ୍କାର ସମ୍ମାନ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ରସାନନ୍ଦ ମେହେର, ଶ୍ରୀ ଶ୍ୟାମ ସୁନ୍ଦର ମେହେର ଓ ଶ୍ରୀ ଉତ୍ତମ କୁମାର ମେହେରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇଁ ମନ୍ତ୍ରୀ ବିଜେତା ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ଏହି ସମାରୋହରେ ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ରଥ, ହସ୍ତଶିଳ୍ପର ନିର୍ଦ୍ଦେଶିକା ତଥା ବୟନିକାର ପରିଚାଳନା ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ବୟନଶିଳ୍ପ ଓ ହସ୍ତତନ୍ତର ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁଙ୍କ, ମାନନୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।
ଏହି ସମ୍ବର୍ଦ୍ଧନା ସମାରୋହରେ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଥିଲେ ଯେ, ‘ବୁଣାକାର ବନ୍ଧୁମାନେ ଆମ ସଂସ୍କୃତିର ବାର୍ତ୍ତାବହ ତଥା ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ସଂରକ୍ଷକ। ସେହିପରି ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ପୁରସ୍କୃତ ହୋଇଥିବା ୫ଜଣ ବୁଣାକାରଙ୍କୁ ବିଭାଗ ପକ୍ଷରୁ କୃତଜ୍ଞତା ଜଣାଇ କହିଥିଲେ, ‘ଜାତୀୟ ସମ୍ମାନରେ ସମ୍ମାନୀତ ହୋଇ ସେମାନେ କେବଳ ରାଜ୍ୟ ପାଇଁ ଗୌରବ ଆଣି ନାହାନ୍ତି, ଉତ୍ତର ପିଢ଼ି ପାଇଁ ପ୍ରେରଣା ସାଜିଛନ୍ତି ।’
ସୂଚନାଯୋଗ୍ୟ, ଓଡ଼ିଶା ହସ୍ତତନ୍ତର ଐତିହ୍ୟ ଓ ସମୃଦ୍ଧ ପରମ୍ପରାର ସଂରକ୍ଷଣ ତଥା ପ୍ରୋତ୍ସାହନରେ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ହସ୍ତତନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏମାନେ ପୁରସ୍କୃତ ହୋଇଥିଲେ । ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଆଧାର କରି ହସ୍ତତନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବୁଣାକାର ଓ ସଂଗଠନମାନଙ୍କୁ ସନ୍ଥକବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ।