ଭୁବନେଶ୍ୱର,(ବୁ୍ୟରୋ): ଟ୍ରେଣ୍ଡିଂ ଆପ୍ରେ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିବା ଜଣେ ଡାକ୍ତରଙ୍କ ମାମଲାରେ ସାଇବର ଥାନା ପୋଲିସକୁ ବଡ଼ ସଫଳତା ହାତରେ ଲାଗିଛି । ଏହି ମାମଲାରେ ଭୁବନେଶ୍ୱର ସାଇବର ଥାନା ପୋଲିସ ଶନିବାର ୨ ଜଣ ଠକଙ୍କୁ ରାଜସ୍ଥାନରୁ ଗିରଫ କରିବାରେ ସଫଳ ହୋଇଛି । ତେବେ ସାଇବର ଠକମାନେ ଡାକ୍ତରଙ୍କ ଠାରୁ ୮୭ ଲକ୍ଷରୁ ଊଦ୍ଧ୍ୱ ଟଙ୍କା ଠକେଇ କରିଥିବା ବେଳେ ପୋଲିସ କିନ୍ତୁ ମାତ୍ର ୫ ଲକ୍ଷ ଟଙ୍କା ଥିବା ଏକ ଆକାଉଣ୍ଟକୁ ଫ୍ରିଜ୍ କରିବାରେ ସଫଳ ହୋଇଥିବା ସାଇବର ଥାନା ଏସିପି ଅଞ୍ଜନା ଟୁଡ଼ୁ ସୂଚନା ଦେଇଛନ୍ତି । ଏହୀ ମାମଲାରେ ରାଜସ୍ଥାନରୁ ଗିର ହୋଇଥିବା ଦୁଇଜଣ ଠକ ହେଉଛନ୍ତି ନରେନ କୁମାର ଜଙ୍ଗିର (୨୨) ଓ ମହେଶ କୁମାର ସିଲ୍ଲା (୨୬) । ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ପୋଲିସ ମୋବାଇଲ ଫୋନ ଏବଂ ବ୍ୟାଙ୍କ କାଗଜପତ୍ର ଜବତ କରିଛି । ଏହି ମାମଲାରେ ଆହୁରି ୧୦ରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ବେଳେ ସେମାନେ ଭିନ୍ନଭିନ୍ନ ରାଜ୍ୟର ହୋଇଥିବାରୁ ସେମାନଙ୍କୁ ଗିରଫ କରିବା ଲାଗି କିଛି ସମୟ ଲାଗିବ ବୋଲି ଏସିପି ଅଞ୍ଜନା କହିଛନ୍ତି ।
ସୂଚନା ଅନୁଯାୟୀ, ଖଣ୍ଡଗିରି ଅଞ୍ଚଳର ଜଣେ ଡାକ୍ତର ଗତ ଅଗଷ୍ଟ ମାସରେ ହଠାତ ଏକ ଅଜଣା ହ୍ୱାଟସପ ଗ୍ରୁପରେ ଯୋଡ଼ି ହୋଇଯାଇଥିଲେ । ଉକ୍ତ ଗ୍ରୁପରେ ଥିବା ସଦସ୍ୟମାନେ ବିଭିନ୍ନ ସମୟରେ ଭିନ୍ନଭିନ୍ନ ଟ୍ରେଡଙ୍ଗି ଆପ୍ରେ ଟଙ୍କା ବିନିଯୋଗ କଲେ ଅଳ୍ପଦିନରେ ଟଙ୍କା ଦ୍ୱିଗୁଣିତ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଡାକ୍ତର ଏହା ଦେଖି ବିଭିନ୍ନ ସମୟରେ ପର୍ଯ୍ୟାୟ ପର୍ଯ୍ୟାୟ କରି ଉକ୍ତ ଆପ୍ରେ ଟଙ୍କା ନିବେଶ କରି ଚାଲିଥିଲେ । ଏହିଭଳି ବିଭିନ୍ନ ସମୟରେ ଟଙ୍କା ନିବେଶ କରି ଚାଲିଥିବା ଡାକ୍ତର ପର୍ଯ୍ୟାୟକ୍ରମେ ୮୭ ଲକ୍ଷ ଟଙ୍କା ନିବେଶ କରିବା ପରେ ଏହାର ରିଟର୍ଣ୍ଣ ଯେତେବେଳେ ଚାହିଁଥିଲେ ସେଥିରେ ସେ ଫେଲ ମାରିଥିଲେ । ଏଥିପାଇଁ ତାଙ୍କୁ ଆହୁରି ୩ କୋଟି ଟଙ୍କା ଜମା କରିବାକୁ ଉକ୍ତ ଟ୍ରେଡିଙ୍ଗ ଆପ୍ ଚଳାଉଥିବା ସାଇବର ଠକ ଜଣଙ୍କ କହିଥିଲେ । ପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଏନେଇ ଭୁବନେଶ୍ୱର ସାଇବର ଥାନାରେ ଗତ ଅଗଷ୍ଟ ମାସରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏହାର ତଦନ୍ତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ।