ତେଲ ଅଭିବ: ଲେବାନନରେ ଥିବା ହେଜବୋଲ୍ଲାକୁ ନିପାତ କରିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ଯୁଦ୍ଧ ଆରମ୍ଭ ହୋଇଛି। ସୋମବାର ବିଳମ୍ବିତ ରାତିରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଦକ୍ଷିଣ ଲେବାନନରେ ପ୍ରବେଶ କରି ସ୍ଥଳସେନାରେ ଅପରେସନ ଆରମ୍ଭ କରିଛି। ସ୍ଥଳପଥରେ ପ୍ରବେଶ କରି ସିଧାସଳଖ ଯୁଦ୍ଧ ପାଇଁ ଇସ୍ରାଏଲ ରାଷ୍ଟ୍ରପତିଙ୍କ ଆହ୍ୱାନକୁ ସ୍ୱୀକାର କରିଛି ହେଜବୋଲ୍ଲା।
ସୂଚନାଯୋଗ୍ୟ ଯେ, ଇସ୍ରାଏଲ ହେଜବୋଲ୍ଲା ମୁଖ୍ୟ ହାସନ ନସରୁଲ୍ଲାଙ୍କୁ ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ ଆକ୍ରମଣ ଜାରି ରହିଥିବା ବେଳେ ହେଜବୋଲ୍ଲାକୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ ଲେବାନନରେ ପ୍ରବେଶ କରିଛି। ଏନେଇ ଇସ୍ରାଏଲ ସେନା ପକ୍ଷରୁ ସୋସିଆଲ ମିଡ଼ିଆରେ ସୂଚନା ଦିଆଯାଇଛି।
ପ୍ରକାଶଥାଉ କି, ୨୦୦୬ ମସିହା ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ଲେବାନନ ସୀମାରେ ପ୍ରବେଶ କରିଛି । ୨୦୦୬ ମସିହାରେ ହେଜବୋଲ୍ଲାର ପ୍ରମୁଖ କମାଣ୍ଡର ଓ ଇସ୍ରାଏଲ ମଧ୍ୟରେ ୩୩ ଦିନଧରି ଯୁଦ୍ଧ ଫଳରେ ଲେବାନନ ୧୧୦୦ ଲୋକ ଓ ଇସ୍ରାଏଲର ୧୬୫ ଜଣଙ୍କ ପ୍ରାଣହାନୀ ହୋଇଥିଲା।