ଭୁବନେଶ୍ଵର: ବୁଧବାରଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତ ସମୟରେ ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ତେବେ ଏହି ସମ୍ମିଳନୀରେ ରାଜ୍ୟକୁ କିପରି ଅଧିକ ନିବେଶ ଆସିବ, ସେ ନେଇ ନିବେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୩ ତାରିଖରେ ହୋଟେଲ ତାଜରେ ଏହି ନିବେଶକ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ‘ଉତ୍କର୍ଷ ୨୦୨୫’ର ପ୍ରାକ୍ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଏହି ସମୟରେ ବିଭିନ୍ନ ଦେଶର ଆମ୍ବାସାଡ଼ର, ହାଇକମିଶନର, ଟ୍ରେଡ୍ କମିଶନର, କନସଲ୍ଟ ଜେନେରାଲଙ୍କ ସହ ଆଲୋଚନା ହେବାପରେ ଏକ ରୋଡ୍ ଶୋ’ ଆୟୋଜିତ ହେବ । ତେବେ ଆସନ୍ତାବର୍ଷ ଜାନୁଆରି ୨୮ ଏବଂ ୨୯ ତାରିଖରେ ମେକ ଇନ୍ ଓଡିଶା କନକ୍ଲେଭ୍ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେବ । ତେଣୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି।