ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଘନ ଘନ ମିସାଇଲ ଆକ୍ରମଣ ଫଳରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି ଆମେରିକା।ଏହି ଆକ୍ରମଣକୁ ଆମେରିକା ଓ ବ୍ରିଟେନ ସମେତ ପଶ୍ଚିମ-ରାଷ୍ଟ୍ର ନିନ୍ଦା କରିଥିବା ବେଳେ ଆମେରିକା ସିଧାସଳଖ ଏହି ଯୁଦ୍ଧରେ ପ୍ରବେଶ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ହ୍ୱାଇଟ ହାଉସକୁ ସୂଚନା ମିଳିବା ପରେ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ସୈନ୍ୟବାହିନୀକୁ ଇରାନର ଆକ୍ରମଣରୁ ଇସ୍ରାଏଲର ପ୍ରତିରକ୍ଷା ତଥା ଇସ୍ରାଏଲକୁ ଟାର୍ଗେଟ କରୁଥିବା କ୍ଷେପଣାସ୍ତ୍ରଗୁଡିକୁ ଖସାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ହ୍ୱାଇଟ ହାଉସରୁ ଇସ୍ରାଏଲ ଉପରେ ହୋଇଥିବା ଇରାନ ଆକ୍ରମଣ ଉପରେ ନଜର ରଖିଛନ୍ତି। ଏହାସହିତ ମଧ୍ୟପ୍ରାଚ୍ୟରେ ଥିବା ଏକାଧିକ ଦେଶରେ ଆମେରିକାର ସାମରିକ ଆଡ୍ଡାକୁ ହାଇଆଲର୍ଟ କରାଯିବା ସହିତ ଯେ କୌଣସି ମିଶନ ପାଇଁ ପ୍ରସ୍ତୁତ ରହିବାକୁ ପେଣ୍ଟାଗନ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।
ପ୍ରକାଶଥାଉ କି, ମଙ୍ଗଳବାର ଠାରୁ ଇରାନ ପକ୍ଷରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଆରମ୍ଭ ହୋଇଛି। ଏନେଇ ଇସ୍ରାଏଲର ସୈନ୍ୟ ଏକ ବିବୃତ୍ତିରେ ଇରାନରୁ ରକେଟ୍ ମାଡ଼ କରିଥିବାରୁ ସମସ୍ତ ଇସ୍ରାଏଲ୍ ନାଗରିକ ବୋମା ଆଶ୍ରୟସ୍ଥଳରେ ଥିବା କହିଛି। ସୟଦ ହସନ ନସରାଲ୍ଲା ଏବଂ ଶହୀଦ ନିଲଫୋରୋଶାନଙ୍କ ଶହୀଦଙ୍କ ଜବାବରେ ଏହା ଅଧିକୃତ ଅଞ୍ଚଳଗୁଡିକୁ ଟାର୍ଗେଟ କରିଛି। ଇରାନ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରିବା ପୂର୍ବରୁ ଇସ୍ରାଏଲର ସହର ‘ତେଲ ଆଭିବ’ରେ କିଛି ଆତଙ୍କବାଦୀ ଗୁଳି ଚଳାଇଥିଲେ। ଗୁଳି ବିନିମୟରେ ଅତି କମରେ ୧୦ ଜଣ ଇସ୍ରାଏଲୀୟ ଆହତ ହୋଇଥିବା ଜଣାଯାଇଛି, ଯେଉଁଥିରେ ୪ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁଇ ଆତତାୟୀ ଏମ-୧୬ ଏବଂ ଗୋଟିଏ ଏକେ-୪୭ ଦ୍ୱାରା ସାଧାରଣ ଲୋକଙ୍କୁ ଆକ୍ରମଣ କରିଥିଲେ।