ଭୁବନେଶ୍ଵର: ବୁଧବାରଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୁରୁବାର ତାଜ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗ ଦେବାପାଇଁ ଦିଲ୍ଲୀଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି ସମ୍ମିଳନୀରେ ରାଜ୍ୟକୁ କିପରି ଅଧିକ ନିବେଶ ଆସିବ, ସେ ନେଇ ନିବେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। । ଏହି ଅବସରରେ ଗୁରୁବାର ଅର୍ଥାତ ଗସ୍ତର ପ୍ରତାହାମ ଦିନରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ରୋଡ୍ ସୋ’ କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ ଯେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ‘ଉତ୍କର୍ଷ ୨୦୨୫’ର ପ୍ରାକ୍ ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଏହି ସମୟରେ ବିଭିନ୍ନ ଦେଶର ଆମ୍ବାସାଡ଼ର, ହାଇକମିଶନର, ଟ୍ରେଡ୍ କମିଶନର, କନସଲ୍ଟ ଜେନେରାଲଙ୍କ ସହ ଆଲୋଚନା ହେବାପରେ ଏକ ରୋଡ୍ ଶୋ’ ଆୟୋଜିତ ହେବ । ତେବେ ଆସନ୍ତାବର୍ଷ ଜାନୁଆରି ୨୮ ଏବଂ ୨୯ ତାରିଖରେ ମେକ ଇନ୍ ଓଡିଶା କନକ୍ଲେଭ୍ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହେବ । ତେଣୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ ସହ ଆଲୋଚନା କରିବା ନେଇ ସୂଚନା ମିଳିଛି।
ବୁଧବାର ଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,” ଏହା ମଧ୍ୟରେ କିଛି ଉଦ୍ୟୋଗୀଙ୍କ ଆଲୋଚନା ସରିଛି। ଗତ ଶହେ ଦିନ ଭିତରେ ୪୫ ହଜାର କୋଟିର ପୁଞ୍ଜି ଓଡ଼ିଶାକୁ ଆସିସାରିଥିବା ବେଳେ ରାଜ୍ୟରେ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।” କାର୍ଯ୍ୟକ୍ରମରେ ଫୁଡ୍ ପ୍ରୋସେସିଂ, ପେଟ୍ରୋ କେମିକାଲ , ଆଇଟି, କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ପ୍ରାଥମିକତା ଦିଆଯିବା ନେଇ ସୂଚନା ମିଳିଛି । ଏହି ଗସ୍ତ ସମୟରେ ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ଆଲୋଚନା ସହ ଓଡ଼ିଶାରେ ପୁଞ୍ଜି ଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋସିଷ୍ଟମ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।
ପ୍ରକାଶଥାଉ କି, ପୂର୍ବ ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ର ନାଁ ପରିବର୍ତ୍ତନ କରି ବିଜେପି ସରକାର ଏହାକୁ ‘ଉତ୍କର୍ଷ ଓଡ଼ିଶା’ର ନାମକରଣ କରିଛନ୍ତି।