ଦିନକୁ ଦିନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁଁ ଉଭୟ ଦେଶର ସ୍ଥିତି ସଙ୍ଗୀନ ହୋଇ ପଡିଥିବାବେଳେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ପ୍ରତିଶୋଧ ପରାୟଣ ହୋଇ ପଡିଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଆକ୍ରମଣର ମୂଲ୍ୟ ଇରାନକୁ ଦେବାକୁ ପଡିବ ବୋଲି କହିଛନ୍ତି।
ତେବେ ଦୁଇ ଦେଶ ମଧ୍ୟରେ ତିକ୍ତତା ହ୍ରାସ କରିବାକୁ G7 ପକ୍ଷରୁ ଜରୁରୀ ବୈଠକ ଡକାଯାଇଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, “ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି, କିନ୍ତୁ ଯଦି ଇସ୍ରାଏଲ ଇରାନର ଆଣବିକ ଘାଟି ଉପରେ ଆକ୍ରମଣ କରେ ତେବେ ଆମେରିକା ଏହାକୁ ସମର୍ଥନ କରିବ ନାହିଁ।” ରଏଟର୍ସ ସୂଚନା ଅନୁଯାୟୀ, ଇରାନ ଇସ୍ରାଏଲ ଉପରେ ୧୮୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଗୋଟିଏ ଦିନ ପରେ ବାଇଡେନ ଏପରି ମନ୍ତବ୍ୟ ଦେଇଛନ୍ତି। ଏନେଇ ବଇଦିନ କହିଛନ୍ତି,”ସେମାନେ କ’ଣ କରିବାକୁ ଯାଉଛନ୍ତି ଆମେ ଇସ୍ରାଏଲୀୟମାନଙ୍କ ସହ ଆଲୋଚନା କରିବୁ, କିନ୍ତୁ ଆମେ ସମସ୍ତ G7 ଦେଶ ସହମତ ଯେ ସେମାନଙ୍କର ପ୍ରତିକ୍ରିୟା କରିବାର ଅଧିକାର ଅଛି, କିନ୍ତୁ ସେମାନେ ଆନୁପାତିକ ଢଙ୍ଗରେ ଏହା କରିବା ଉଚିତ । ଇରାନ ଉପରେ ଅଧିକ କଟକଣା ଲାଗୁ କରାଯିବ ଏବଂ ସେ ଶୀଘ୍ର ନେତାନ୍ୟାହୁଙ୍କ ସହ କଥା ହେବେ।”
ପ୍ରକାଶଥାଉ କି, ଇସ୍ରାଏଲର ଅଧିକାରୀମାନେ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷଙ୍କୁ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଜବାବ ଦେବା ପାଇଁ ଲକ୍ଷ୍ୟ, ସମୟ ଏବଂ ସ୍ଥାନ ସ୍ଥିର କରୁଥିବା କହିଛନ୍ତି। ତେବେ କେତେକ ବିଶେଷଜ୍ଞ କହିଛନ୍ତି ଯେ ଏପ୍ରିଲରେ ଇସ୍ରାଏଲର ଇରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଅପେକ୍ଷା ଏଥର ଇସ୍ରାଏଲର ପ୍ରତିକ୍ରିୟା ଅଧିକ ସାଂଘାତିକ ହେବା ସହ ଏହା ତେହେରାନର ଆଣବିକ ଘାଟି କିମ୍ବା ତୈଳ ଡିପୋକୁ ଟାର୍ଗେଟ କରିପାରେ।