ଦିଲ୍ଲୀ: ବୁଧବାର ଦିଲ୍ଲୀସ୍ଥିତ ଏକ ନର୍ସିଂ ହୋମ୍ରେ ୨ ଜଣ ଯୁବକ ଚିକିତ୍ସା ବାହାନାରେ ଆସି ଡାକ୍ତରଙ୍କୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି। ଦକ୍ଷିଣପୂର୍ବ ଦିଲ୍ଲୀ ଜୌତପୁର ଖଡା କଲୋନୀରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ଜୌତପୁର ଖଡା କଲୋନୀସ୍ଥିତ ନୀମା ନର୍ସିଂହୋମରେ ପଶି ଦୁଇ ଜଣ ଦୁର୍ବୃତ୍ତ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଡାକ୍ତର ଜଣକ ହେଲେ ଜାଭେଦ ଅଖତର । ତେବେ ସେହି ୨ ଜଣ ଚିକିତ୍ସା ବାହାନାରେ ଡାକ୍ତରଙ୍କ ପାଖକୁ ଆସି ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।
ଡାକ୍ତରଖାନା କର୍ମଚାରୀଙ୍କ କହିବା ଅନୁଯାୟୀ, ବୁଧବାର ରାତିରେ ଜଣେ ଲୋକ ଆହତ ଅବସ୍ଥାରେ ହସ୍ପିଟାଲକୁ ଆସି ଗୋଡରେ ଆଘାତ ଲାଗିଥିବା କହି ଡ୍ରେସିଂ କରିବାକୁ କହିଥିଲେ। ତେବେ ଡାକ୍ତରଙ୍କ କ୍ୟାବିନରେ ପ୍ରବେଶ କରିବା ମାତ୍ରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ପୋଲିସର ସୂଚନା ଅନୁଯାୟୀ, ରାତି ପ୍ରାୟ ୧.୪୫ ସମୟରେ ପୋଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିବା ପରେ ଡାକ୍ତର କ୍ୟାବିନରେ ଥିବା ଚେୟାରରେ ବସିଥିଲେ ଓ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିଲା। ଏହାପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରମାଣ ଜବତ କରିଥିଲା। ତେବେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଡାକ୍ତରଖାନାର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ରାତି ପ୍ରାୟ ୧ଟା ବେଳେ ଡାକ୍ତରଖାନାକୁ ଆସିଥିବା ଜଣାପଡିଛି। ଅଭିଯୁକ୍ତନ୍କ ମଧ୍ୟରୁ ଜଣେ ତାଙ୍କ ଗୋଡର ଡ୍ରେସିଂ ପରେ ଔଷଧ ନେବା ପାଇଁ ୟୁନାନି ଡାକ୍ତର (ବିଏମ୍ଏସ୍) ଜାଭେଦ ଅଖତରଙ୍କ କ୍ୟାବିନକୁ ଯାଇଥିଲେ। କିନ୍ତୁ ସେଠରୀ ତାଙ୍କୁ ଗୁଳି କରି ହତ୍ୟା କରିଥିବା ଜଣ ପଡିଛି। ହସ୍ପିଟାଲର ନର୍ସିଂ କର୍ମଚାରୀ ଗାଜାଲା ପରଭେନ ଏବଂ ଏମଡି କାମିଲ ଗୁଳିର ଶବ୍ଦ ଶୁଣିଥିବା ବେଳେ ଗାଜାଲା ପରଭେନ ଜାଭେଦ ଡାକ୍ତରଙ୍କ କ୍ୟାବିନରେ ପହଞ୍ଚି ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ଡାକ୍ତରଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ରକ୍ତସ୍ରାବ ହେଉଥିବା ଦେଖିବାକୁ ପାଇଥିଲେ।