ତେଲ ଅଭିବ: ମଙ୍ଗଳବାର ରାତିରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି। ଏହାସହିତ ଇରାନକୁ ଧ୍ୱଂସ କରିବାକୁ ଶପଥ ନେଇ ଇରାନ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଇସ୍ରାଏଲ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି। ନେତାନ୍ୟାହୁ ତେଲ ଅଭିବର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟରେ ସୁରକ୍ଷା ମୁଖ୍ୟଙ୍କୁ ଭେଟିଥିବା ବେଳେ ଇସ୍ରାଏଲ ଖୁବ ଶୀଘ୍ର ଇରାନ ଉପରେ ଭୟଙ୍କର ଆକ୍ରମଣ ଆରମ୍ଭ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି।
ତେବେ ଟାଇମ୍ସ ଅଫ୍ ଇସ୍ରାଏଲ୍ ର ସୂଚନା ଅନୁଯାୟୀ, ଇସ୍ରାଏଲ୍ ଅଧିକାରୀମାନେ କହିଛନ୍ତି ଯେ ଇସ୍ରାଏଲ୍ ବୁଧବାର ଦିନ ଇରାନର ପ୍ରମୁଖ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରେ ଗ୍ୟାସ୍ ଏବଂ ତୈଳ ଡିପୋ ପରି ଭିତ୍ତିଭୂମି ଉପରେ ଆକ୍ରମଣ କରି କିମ୍ବା ଇରାନର ଆଣବିକ ସ୍ଥାନକୁ ସିଧାସଳଖ ଟାର୍ଗେଟ କରି ଏହାର ଜବାବ ଦେବାର ଯଥେଷ୍ଟ ସମ୍ଭାବନା ଅଛି।ତେବେ ଯଦି ଇସ୍ରାଏଲ୍ ପକ୍ଷରୁ ଇରାନର ତୈଳ ଡିପୋ ଉପରେ ଆକ୍ରମଣ ହୁଏ, ଏହା ଦେଶର ଅର୍ଥନୀତି ମେରୁଦଣ୍ଡକୁ ଭାଙ୍ଗିବା ଏକ ପ୍ରକାର ନିଶ୍ଚିନ୍ତ।
ପ୍ରକାଶଥାଉ କି, ଇସ୍ରାଏଲ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, “ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ବିଫଳ ହୋଇଛି ଏବଂ ବର୍ତ୍ତମାନ ସେମାନଙ୍କୁ ପ୍ରତିଶୋଧ ନେବାକୁ ପଡିବ। ଏହି ଭୁଲ ପାଇଁ ଇରାନକୁ ଏକ ବଡ ମୂଲ୍ୟ ଦେବାକୁ ପଡିବ।” ଅପରପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ତାଙ୍କ ପ୍ରଶାସନ ଇସ୍ରାଏଲକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଇସ୍ରାଏଲର ଭିତ୍ତିଭୂମି ଉପରେ ଅଧିକ ଆକ୍ରମଣ କରି ସେ ସାର୍ବଭୈମତ୍ୱର ଉଲ୍ଲଂଘନକୁ ଜବାବ ଦେବ ବୋଲି ଇରାନ କହିଛି।