ସିକ୍କିମରେ ସେନା ଗାଡି ଦୁର୍ଘଟଣା ଘଟି ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଗୁରୁବାର ଏକ ସେନା ଗାଡିରେ ଯବାନ ମାନେ ପଶ୍ଚିମବଙ୍ଗରୁ ସିକ୍କିମର ଜୁଲୁକ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ସିକ୍କିମର ପାକଙ୍ଗ ଜିଲ୍ଲାରେ ଘଟିଛି ।
ସୂଚନା ଅନୁସାରେ, ଗୁରୁବାର ଏକ ସେନା ଗାଡିରେ ଯବାନ ମାନେ ପଶ୍ଚିମବଙ୍ଗରୁ ସିକ୍କିମର ଜୁଲୁକ ଅଭିମୁଖେ ଯାଉଥିବା ସମୟରେ ସିକ୍କିମର ପାକଙ୍ଗ ଜିଲ୍ଲାରେ ହଠାତ ଗାଡିଟି ଭାରସାମ୍ୟ ହରାଇ ପ୍ରାୟ ୭୦୦ ଫୁଟ ତଳକୁ ଖସି ପଡିଥିଲା। ଉକ୍ତ ଗାଡିରେ ୪ ଜଣ ଯବାନ ଥିଲେ । ଏହି ଗାଡିଟି ପଶ୍ଚିମବଙ୍ଗର ବିନ୍ନାଗୁରିରେ ମୁତୟନ ହୋଇଥିବା ସେନାର EMC କର୍ମଚାରୀଙ୍କୁ ନେଇ ଯାଉଥିଲା। ତେବେ ଭାରସାମ୍ୟ ହରାଇ ଗାଡିଟି ରେନକ୍-ରୋଙ୍ଗଲି ରାଜପଥ କଡ଼ରେ ଥିବା ଭର୍ଟିକାଲ୍ ଭୀରର ଏକ ଜଙ୍ଗଲ ମଧ୍ୟକୁ ପଡିଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣାରେ ଶହୀଦ ହୋଇଥିବା ଯବାନ ମାନେ ହେଲେ ଇମ୍ଫାଲର ସି.ଏଫ.ଏନ ଡବ୍ଲୁ ପିଟର, ମଧ୍ୟପ୍ରଦେଶର ସେପୋଇର ପ୍ରଦିପ ପଟେଲ, ତାମିଲନାଡୁର ବାସିନ୍ଦା ସୁବେଦାର କେ ଥାଙ୍ଗାପାଣ୍ଡି ଏବଂ ହରିୟାଣାର ନାୟକ ଗୁରୁସେଭ ସିଂ।
ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ଏକ୍ସରେ କହିଛନ୍ତି ଯେ, “ସିକ୍କିମରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ସେନା କର୍ମଚାରୀଙ୍କ ଶହୀଦ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଶହୀଦ ଯବାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି। ଦେଶ ପାଇଁ ଆପଣଙ୍କ ସେବା ତଥା ବଳିଦାନ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ ।”