ମିୟାଜାକି : ବୁଧବାର ଦକ୍ଷିଣ-ପଶ୍ଚିମ ଜାପାନର ମିୟାଜାକି ବିମାନବନ୍ଦରରେ ହୋଇଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣରେ ଟ୍ୟାକ୍ସିୱେର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ରନୱେକୁ ବନ୍ଦ କରିଦିଆଯାଇଛି।ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ପକ୍ଷରୁ ଫିଙ୍ଗା ଯାଇଥିବା ବୋମା ଦୀର୍ଘବର୍ଷ ପରେ ଦକ୍ଷିଣ-ପଶ୍ଚିମ ଜାପାନର ମିୟାଜାକି ବିମାନ ବନ୍ଦରରେ ଫୁଟିଛି। ଏହି ବିସ୍ଫୋରଣ ହେବା ଫଳରେ ସାତ ମିଟର (୨୩ ଫୁଟ) ଓସାର ଏବଂ ଏକ ମିଟର (୩.୨ ଫୁଟ) ଗଭୀରତାର ଏକ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ଜାପାନ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସ୍ଥାନୀୟ ସମୟ ସକାଳ ପ୍ରାୟ ୮ଟାରେ ଟ୍ୟାକ୍ସିୱେରେ ଏହି ବିସ୍ଫୋରଣ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଖଞ୍ଜିଥିବା ବୋମା ଫାଟିବା ଫଳରେ ଏହି ବିସ୍ଫୋରଣ ଘଟିଛି । ତେବେ ବିସ୍ଫୋରଣ ପରେ ବିମାନ ବନ୍ଦରକୁ ବନ୍ଦ କରାଯାଇଥିବା ବେଳେ ୮୭ ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି । ଦୁର୍ଘଟଣା ପରେ ଜାପାନ ଗ୍ରାଉଣ୍ଡ ସେଲ୍ଫ ଡିଫେନ୍ସର ଏକ ବୋମା ନିଷ୍କାସନକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ବିସ୍ଫୋରଣର କାରଣ ପୋତା ଯାଇଥିବା ଆମେରିକୀୟ ବୋମା ବୋଲି ସ୍ପଷ୍ଟ କରିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକାଇଥିବା ବୋମା ବିସ୍ପୋରଣ ନ ହୋଇ ମାଟି ତଳେ ପୋତି ହୋଇଯାଇଥିଲା। କ୍ୟୁଶୁ ଦ୍ୱୀପର ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ମିୟାଜାକି ବିମାନବନ୍ଦର ପୂର୍ବରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜାପାନର ନୌସେନା ବେସ ଥିଲା । ଏଠାରୁ ଶହ ଶହ ଯୁବକ “କାମିକାଜେ” ପାଇଲଟ୍ ମିଶନରେ ଯାଇଥିଲେ । ତେବେ ଏହି ବିସ୍ଫୋରଣରେ କୌଣସି ପ୍ରାଣହାନୀ ଘଟି ନଥିବା ସୂଚନା ମିଳିଛି।
ଜାପାନର ମୁଖ୍ୟ କ୍ୟାବିନେଟ ସଚିବ ହୟାଶୀ ୟୋଶିମାସା ଗଣମାଧ୍ୟମକୁ କହିଛନ୍ତି ଯେ, “ଆମେରିକାର ନିର୍ମିତ ବୋମା ଦ୍ଵାରା ଏହି ବିସ୍ଫୋରଣ ଘଟିଛି। ଆଉ କିଛି ବିସ୍ଫୋରଣ ବିପଦ ନାହିଁ।” ବିମାନବନ୍ଦର କର୍ତ୍ତୃପକ୍ଷ ଖୁବଶୀଘ୍ର ଗର୍ତ୍ତ ପୂରଣ ତଥା ମରାମତି କାର୍ଯ୍ୟ ସହ ଗୁରୁବାର ବିମାନ ସେବା ସ୍ଵାଭାବିକ କରିବାକୁ ଯୋଜନା କରିଛନ୍ତି।