ପୁଣେ: ମହାରାଷ୍ଟ୍ର ପୁଣେରେ ଗୁରୁବାର ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ୨୧ ବର୍ଷିୟା ଯୁବତୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି । ଏନେଇ ସ୍ଥାନୀୟ ପୁଲିସରେ ଏକ ମାମଲା ରୁଜୁ ହେବା ସହ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ମହିଳା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବୋପଦେବ ଘାଟକୁ ଯାଉଥିଲେ । ଏହି ସମୟରେ ଦୁଷ୍କର୍ମକାରୀମାନେ ଏକ ନିଛାଟିଆ ସ୍ଥାନରେ ଦେଖି ତାଙ୍କ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରିବା ସହିତ ମହିଳାଙ୍କୁ ବଳାତ୍କାର କରିଥିଲେ । ଏନେଇ ପୋଲିସକୁ ଭୋର ୫ଟାରେ ସୂଚନା ମିଳିଥିଲା।
ଏଭଳି ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି । ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଘଟିଥିବା ଏଭଳି ଲଜ୍ଜାଜନକ ଘଟଣାରୁ ଫାଇଦା ଉଠାଇବାକୁ ବିରୋଧୀ ଦଳଗୁଡ଼ିକ ଆଗକୁ ବାହାରୁଛନ୍ତି । ଏହି ଘଟଣାକୁ ଶିବ ସେନା (ଉଦ୍ଧବ ବାଳାସାହେବ ଠାକରେ) ନେତା ଆନନ୍ଦ ଦୁୁବେ ତୀବ୍ର ନିନ୍ଦା କରିବା ସହ କହିଛନ୍ତି ଯେ, ଏକନାଥ ସିନ୍ଦେ ସରକାରରେ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି । ଅପରାଧୀମାନେ ଜାଣିଛନ୍ତି ରାଜ୍ୟ ସରକାରଙ୍କ ଉଦାସୀନତା ଓ ଦାୟିତ୍ୱହୀନତା । ସେ ପୁଣି କହିଛନ୍ତି, ମହାରାଷ୍ଟ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ି ପଡ଼ିଛି । ରାଜ୍ୟ ସରକାର କଣ ଚାହୁଛନ୍ତି? ରାଜ୍ୟ ସରକାର ଲାଡଲି ବେହେନ ଯୋଜନା ଲାଗୁ କରିଥିବା ବେଳେ ଏଠାରେ କିନ୍ତୁ ମହିଳାମାନଙ୍କ ସମ୍ମାନ ରକ୍ଷା କରିବାରେ ସରକାର ଅସମର୍ଥ । ଏନ୍ସିପି (ସିପି)ନେତା ସୁପ୍ରିୟା ସୁଲେ ଟ୍ୱିଟ୍ କରି କହିଛନ୍ତି ଯେ, ମହିଳାଙ୍କ ପ୍ରତି ହେଉଥିବା ହିଂସା ପୁଣେ ଏବଂ ସାରା ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣାଗୁଡ଼ିକୁ ରୋକବା ପାଇଁ ଗୃହ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ । ଦୁର୍ଭାଗ୍ୟବଶତଃ ଏହା କହିବାକୁ ପଡ଼ୁଛି ଯେ, ମହାରାଷ୍ଟ୍ର ମହିଳାମାନଙ୍କ ପାଇଁ ସୁରକ୍ଷିତ ନୁହେଁ । ଉକ୍ତ ଘଟଣାରେ ସରକାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ କଠୋର ଦଣ୍ଡ ଦେବାକୁ ଶ୍ରୀମତି ସୁଲେ ତାଙ୍କ ଟ୍ୱିଟ୍ରେ ଦାବି କରିଛନ୍ତି।