ଭୁବନେଶ୍ୱର: ଯଦି କଂଗ୍ରେସର ମୁଖପାତ୍ର ହୋଇ ଥାନାଧିକାରୀ ଅଭିଯୋଗ ଶୁଣୁ ନାହାନ୍ତି, ତାହେଲେ ସାଧାରଣ ଜନତାଙ୍କୁ କେମିତି ବ୍ୟବହାର କରୁଥିବେ? ଉଚିତ ନ୍ୟାୟ ଓ ସୁରକ୍ଷାର ଡିଣ୍ଡିମ ପିଟୁଥିବା ପୋଲିସ ଅଧିକାରୀ ଯଦି ଠିକରେ ବ୍ୟବହାର କରିପାରୁନାହାନ୍ତି ତେବେ ନ୍ୟାୟ କି ସୁରକ୍ଷା ଦେବେ କେମିତି? ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର।
ସୂଚନା ଅନୁସାରେ, ଶୁକ୍ରବାର କଂଗ୍ରେସ ମୁଖ ପାତ୍ର ଜୟଶ୍ରୀ ପାତ୍ର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଗତ ୨ ମାସ ହେବ ବିଜେପି ଦଳର ଜଣେ ସହାୟକ ଫେସବୁକର ଏକ ଆଇଡି ମାଧ୍ୟମରେ ଜୟଶ୍ରୀଙ୍କ ଦ୍ୱାରା ପୋଷ୍ଟ ହୋଇଥିବା ସମସ୍ତ ଭିଡିଓ ଗୁଡିକରେ ଜୟଶ୍ରୀଙ୍କୁ ଟାର୍ଗେଟ କରି କମେଣ୍ଟ ଦେଇ ଚାଲିଥିଲେ। ତେବେ ଏନେଇ ଜୟଶ୍ରୀ ସେହି ବ୍ୟକ୍ତିଙ୍କ ବିରୋଧରେ ସାଇବର ଥାନାରେ ମାମଲା ରୁଜୁ କରିବାକୁ ଯାଇ ଅନେକ ସମସ୍ୟାର ସମ୍ମୁଖିନ ହୋଇଥିବା ସୂଚନା ମିଳିଛି।
ଜୟଶ୍ରୀ ସାଇବର ଥାନାରେ ମାମଲା ରୁଜୁ କରିବାକୁ ଯାଇଥିବା ବେଳେ ସାଇବର ଥାନାର ଅଧିକାରୀ ମାମଲା ରୁଜ୍ଜୁ ନ କରିବା ପାଇଁ କହିଥିଲେ। ଏହା ଏକ ସାଇବର କ୍ରାଇମ ଅଧୀନରେ ଯାଉଥିବା ସତ୍ତ୍ୱେ ନିଜର ଅଂଚଳର ଥାନା ଅର୍ଥାତ ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିବା ପାଇଁ ଜୟଶ୍ରୀ ଙ୍କୁ କହିଥିଲେ ଥାନା ଅଧିକାରୀ । ତେବେ ଥାନା ଅଧିକାରୀଙ୍କ ଏପରି ବ୍ୟବହାରରେ କ୍ଷୁବ୍ଧ ହୋଇ ସେ ଜଣେ ମୁଖପାତ୍ର ହୋଇ ମଧ୍ୟ ତାଙ୍କ ସହ ଏମିତି ବ୍ୟବହାର କରୁଛନ୍ତି ତେବେ ସାଧାରଣ ଲୋକେ କେମିତି ସାଇବର ଥାନାରୁ ସାହାଯ୍ୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି।