ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଇସ୍ରାଏଲକୁ ୧୫ ହଜାର ଭାରତୀୟ ଶ୍ରମିକ ପଠାଉଛନ୍ତି । ଏଭଳି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗୁରୁବାର ସେ ମୋଦୀ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ ସେମାନେ ସମ୍ପ୍ରତି ପଶ୍ଚିମ ଏସିଆରେ ଯୁଦ୍ଧ ଘନଘଟା ଲାଗି ରହିଥିବାବେଳେ କେନ୍ଦ୍ର ସରକାର ସେଠାକୁ ୧୫ ହଜାର ଭାରତୀୟ ଶ୍ରମିକଙ୍କୁ ପଠାଉଛନ୍ତି । ‘ଏକ୍ସ’ରେ ପୋଷ୍ଟକରି ଖଡଗେ ଦାବି କରିଛନ୍ତି, ଏହି ଶ୍ରମିକମାନଙ୍କୁ ସରକାରଙ୍କ ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ଜରିଆରେ ପଠାଯାଇଛି । ଏଥିପାଇଁ ସେ ସରକାରଙ୍କୁ ନିନ୍ଦା କରିବା ସହିତ କହିଛନ୍ତି ଯେ ଭାରତର ଯୁବ ବର୍ଗଙ୍କୁ ବୋକା ବନାଇ ରୁଷିଆ-ୟୁକ୍ରେନ ଯୁଦ୍ଧ ଲଢିବାକୁ ପଠାଯିବା ପରେ ଏବେ ଯୁଦ୍ଧରେ ଲିପ୍ତ ଇସ୍ରାଏଲକୁ ପଠାଯାଉଛି । ଏହାଦ୍ୱାରା ସେମାନଙ୍କ ଜୀବନକୁ ବିପଦକୁ ଠେଲି ଦିଆଯାଉଛି ।
ସୂଚନାଯୋଗ୍ୟ ଯେ ଶନିବାର ହରିଆଣା ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଶେଷହେବାକୁ ଯାଉଥିବାବେଳେ ତାହାର କିଛି ଘଣ୍ଟା ପୂର୍ବରୁ ଖଡଗେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଯୁବ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଶିକ୍ଷିତମାନେ ନିଜ ଜୀବକୁ ବିପନ୍ନ କରି ଯୁଦ୍ଧ ପ୍ରଭାବିତ ରାଷ୍ଟ୍ରଗୁଡିକରେ ଉଚ୍ଚ ବେତନରେ କାମ କରିବାକୁ ରାଜି ହୋଇଥାଇପାରନ୍ତି । କିନ୍ତୁ ସରକାର ସେମାନଙ୍କୁ ନିଜ ଦେଶରେ ମଧ୍ୟ କର୍ମସଂସ୍ଥାନ ଯୋଗାଇ ଦେଇପାରିଥାନ୍ତେ । ଏଥିରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜ ଦେଶରେ ଯୁବ ବର୍ଗଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଥିବା ସତ୍ୟତା ସ୍ପଷ୍ଟ ବାରି ହୋଇପଡୁଛି । ହରିଆଣାରେ ଯେଉଁ ଯୁବକମାନଙ୍କୁ ଏଭଳି ବିପଦ ମୁହଁକୁ ଠେଲି ଦିଆଯାଉଛି ସେମାନେ ନିର୍ବାଚନରେ ବିଜେପିକୁ ଉପଯୁକ୍ତ ଜବାବ ଦେବେ ବୋଲି ଖଡଗେ କହିଛନ୍ତି ।