ହରିଆଣା: ଶନିବାର ହରିଆଣାରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ସମୁଦାୟ ୯୦ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ତେବେ ଦିନ ୧୧ଟା ସୁଦ୍ଧା ସାମଗ୍ରିକ ଭୋଟ ହାର ରହିଛି ୨୨.୭୦%। ନିର୍ବାଚନରେ ୨ କୋଟିରୁ ଅଧିକ ଭୋଟର ୧୦୩୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।ନିର୍ବାଚନୀ ମୈଦାନରେ ୯୩୦ ଜଣ ପୁରୁଷ ଓ ୧୦୧ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏଥିପାଇଁ ସମସ୍ତ ବୁଥରେ ବ୍ୟାପକ ପ୍ରସ୍ତୁତି କରାଯାଇ ୩୦ ହଜାର ପୁଲିସ କର୍ମୀ ଓ ୨୨୫ ପାରାମିଲିଟାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ୯୦ଟି ବିଧାସଭା ଆସନ ମଧ୍ୟରୁ ୭୩ଟି ଆସନ ସାଧାରଣ ବର୍ଗ ପାଇଁ ଓ ୧୭ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ସମୁଦାୟ ୨୦,୬୩୨ଟି ପୋଲିଂ ବୁଥ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ ଯେ, ହରିଆଣାର ଚଳିତ ବିଧାନସଭା ନିର୍ବାଚନରେ ହରିଆଣା ମୁଖ୍ୟମନ୍ତ୍ରୀ ନାୟାବ ସିଂ ସୈନି, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା, ଭାରତୀୟ ଜାତୀୟ ଲୋକଦଳ(ଆଇଏନଏଲଡି) ନେତା ଅଭୟ ସିଂ ଚୌତାଲା, ଜନନାୟକ ଜନତା ପାର୍ଟି (ଜେଜେପି) ନେତା ଦୁଷ୍ୟନ୍ତ ଚୌତାଲା, ବରିଷ୍ଠ ବିଜେପି ନେତା ଅନୀଲ ଭିଜ ଓ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ହରିଆଣା ଭୋଟର । ରାଜନୈତିକ ଦୃଷ୍ଟି କୋଣରୁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହେଉଛି। ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ମଧ୍ୟ କ୍ଷମତାକୁ ଆସିବା ପାଇଁ ଲକ୍ଷ୍ୟ ରଖିଛି ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେକର୍ଡ ସଂଖ୍ୟକ ମତଦାନ କରିବା ପାଇଁ ହରିଆଣାବାସୀଙ୍କୁ ଅପିଲ କରି ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି କହିଛନ୍ତି, ‘ଆଜି ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ଅଂଶଗ୍ରହଣ କରିବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି। ଭୋଟ୍ ଦେବାରେ ଏକ ନୂତନ ରେକର୍ଡ ସୃଷ୍ଟି କରନ୍ତୁ। ଏହି ଅବସରରେ ରାଜ୍ୟର ସମସ୍ତ ଯୁବ ବନ୍ଧୁଙ୍କୁ ମୋର ଶୁଭେଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି।”