ଭୁବନେଶ୍ୱର: ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ବଡ଼ ଘୋଷଣା। ଆଗାମୀ ଦିନରେ ସରକାରୀ ସ୍ତରରେ ରାଜ୍ୟ ସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ ପାଳନ ହେବା ନେଇ ଘୋଷଣା କରାଯାଇଛି। ଏଥିପାଇଁ ସରକାର ଯତ୍ନବାନ ହେବାସହ ଏହାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
କାର୍ଯ୍ୟକ୍ରମକୁ ସଫଳ ରୂପାୟନ କଲେ ହିଁ ବାଜି ରାଉତଙ୍କୁ ଯଥାର୍ଥ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସହିଦ ବାଜି ରାଉତ ରାଜ୍ୟ ସ୍ତରୀୟ ସମାରୋହରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଖୁଵ ଶୀଘ୍ର ବାଜି ରାଉତଙ୍କ ଜନ୍ମମାଟି ନୀଳକଣ୍ଠପୁର ଏବଂ ଭୁବନ ବ୍ଲକରେ ବାଜି ରାଉତଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଏହାସହ ମୁକ୍ତି ସଂଗ୍ରାମର ପ୍ରଚ୍ଛଦପଟ୍ଟର ନାୟକ ହୋଇ ରହିଯାଇଥିବା ସଂଗ୍ରାମୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସମସ୍ତ ବରପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ। ଜଣେ ସଫଳ ରାଜା ଏବଂ ତାର ପ୍ରଶାସନର ଏହା କର୍ତ୍ତବ୍ୟ। ଆଗରୁ ସରକାର ହୋଡିଂରେ କାହା ଫୋଟୋ ରହୁଥିଲା, କିନ୍ତୁ ଏବେ ହୋର୍ଡ଼ିଂରେ ବରପୁତ୍ରଙ୍କ ଫୋଟୋ ରହିଛି…..ଭଲ କଥା। ଶନିବାର ଜୟଦେବ ଭବନ ଠାରେ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ।