ନୂଆଦିଲ୍ଲୀ: କେନ୍ଦ୍ର ସରକାର ତାଙ୍କର ତୃତୀୟ ପାଳିରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ସଂରଚନାମୂଳକ ସଂସ୍କାର ଆଣିବାକୁ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ କହିଛନ୍ତି, ଭାରତ ସମ୍ପ୍ରତି ସମଗ୍ର ବିଚଶ୍ୱରେ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି । ଦେଶର ବିଜ୍ଞାନ, ପ୍ରଯୁକ୍ତି ଅଥବା ନବସୃଜନ ଆଦି କ୍ଷେତ୍ରରେ ରାଷ୍ଟ୍ର ସ୍ପଷ୍ଟ ଭାବରେ ଏକ ମଜଭୁତ ସ୍ଥାନରେ ରହିଛି । ୩ୟ କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଅର୍ଥନୀତି ସମ୍ପ୍ରତି ଉଲ୍ଲେଖନୀୟ ରୂପାନ୍ତରଣ ଦେଇ ଯାଉଛି । ମଜଭୁତ ଅର୍ଥନୈତିକ ମୂଳଦୁଆ ସହିତ ଭାରତ ଉଲ୍ଲେଖନୀୟ ଅଭିବୃଦ୍ଧି ପଥରେ ଆଗେଇ ଚାଲିଛି । ଏବେ ଭାରତ କେବଳ ଶୀର୍ଷ ସ୍ଥାନରେ ପହଞ୍ଚିବା ପ୍ରୟାସ କରୁନାହିଁ, ତାହାସହିତ ସେଠାରେ ଅପରିବର୍ତ୍ତିତ ରହିବାକୁ ଯୋଜନାବଦ୍ଧ ଉଦ୍ୟମ କରୁଛି । ଆଜିର ବିଶ୍ୱର ବିବିଧ କ୍ଷେତ୍ରରେ ପ୍ରଚୁର ସୁଯୋଗ ଯୋଗାଇ ଦେଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ, ସଂରଚନାମୂଳକ ସଂସ୍କାର ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାକୁ ତୃତୀୟ ପାଳିର ପ୍ରଥମ ତିନିମାସରେ କରାଯାଇଥିବା କାର୍ଯ୍ୟଗୁଡିକରୁ ଲକ୍ଷ୍ୟ କରାଯାଇପାରିବ । ଦମ୍ଦାର ନୀତିଗତ ପରିବର୍ତ୍ତନ, ନିଯୁକ୍ତି ଓ କୌଶଳ ନିମନ୍ତେ ଏକ ମଜଭୁତ ପ୍ରତିବଦ୍ଧତା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ଓ ନବସୃଜନ, ଆଧୁନିକ ଭିତ୍ତିଭୂମି, ଜୀବନର ମାନ ଏବଂ ଦ୍ରୁତ ଅଭିବୃଦ୍ଧି ଧାରାକୁ ଜାରି ରଖିବା ଉପରେ ଦୃଷ୍ଟିନିବଦ୍ଧ ପ୍ରୟାସ ଆମର ପ୍ରଥମ ତିନିମାସର ନୀତିସମୂହରେ ପ୍ରତିଫଳିତ ହୋଇଛି । ଏହି ସମୟ ମଧ୍ୟରେ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ସମ୍ବଳିତ ନିଷ୍ପତ୍ତି ନିଆଯାଇଛି ।
ସମ୍ପ୍ରତି ଚାଲିଥିବା ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ଇରାନ ବିବାଦ ସମ୍ପର୍କରେ ସୂଚନା ଦେଇ ମୋଦି କହିଥିଲେ, ଏହି ସମ୍ମିଳନୀ ଏଭଳି ଏକ ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ ବିଶ୍ୱର ଦୁଇ ପ୍ରମୁଖ ଅଞ୍ଚଳରେ ଯୁଦ୍ଧର ଘନଘଟା ଚାଲିଛି । ଏହି ଅଞ୍ଚଳଗୁଡିକ ବିଶ୍ୱ ଅର୍ଥନୀତି, ବିଶେଷକରି ଶକ୍ତି ନିରାପତ୍ତା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ଏଭଳି ଉଲ୍ଲେଖଯୋଗ୍ୟ ବୈଶ୍ୱିକ ଅନିଶ୍ଚିତତା ମଧ୍ୟରେ ଆମେ ‘ଭାରତର ଯୁଗ’ ସମ୍ପର୍କରେ ଆଲୋଚନା କରିବାକୁ ଏକତ୍ରିତ ହୋଇଛେ । ଏହା ପ୍ରଦର୍ଶିତ କରୁଛି ଯେ ଭାରତ ଉପରେ ଏବେ ରହିଥିବା ବିଶ୍ୱାସ ଅନନ୍ୟ । ଏହା ପ୍ରତିଫଳିତ କରୁଛି ଯେ ଭାରତର ଆତ୍ମନିର୍ଭରଶୀଳତା ଅତୁଳନୀୟ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ଆଦି ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ଭାରତର ଅଭିବୃଦ୍ଧି ସମ୍ପର୍କରେ କରାଯାଇଥିବା ଆକଳନ ଉପରେ ଯେଉଁଭଳି ଭରସା କରାଯାଉଛି, ତାହା ମଧ୍ୟ ଭାରତ କେଉଁ ଦିଗରେ ଗତିକରୁଛି ତାହା ଦର୍ଶାଉଛି । ଗତବର୍ଷ ଆମ ଅର୍ଥନୀତି ସମସ୍ତ ଆକଳନ ଠାରୁ ଉନ୍ନତ ପ୍ରଦର୍ଶନ କରିଥିଲା । ଏହି ସମସ୍ତ ପ୍ରତିଷ୍ଠାନ କହୁଛନ୍ତି ଯେ ବୈଶ୍ୱିକ ସ୍ତରରେ ଅନିଶ୍ଚିତ ପରିସ୍ଥିତି ସତ୍ତ୍ୱେ ଭାରତ ୭ ପ୍ରତିଶତରୁ ଅଧିକ ହାରରେ ଅଭିବୃଦ୍ଧି ହାର ଜାରି ରଖିବ । ଭାରତୀୟମାନେ ନିଶ୍ଚିତ ଅଛନ୍ତି ଯେ ସେମାନେ ତାହା ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିବେ । ସାମ୍ପ୍ରତିକ ବିଶ୍ୱ ଭାରତକୁ ସମ୍ପ୍ରତି ଏକ ପସନ୍ଦଯୋଗ୍ୟ ନିବେଶ ସ୍ଥଳ ଭାବରେ ଦେଖୁଛି । ତାହା ବିନିର୍ମାଣ ହେଉ କି ସେବା କ୍ଷେତ୍ର, ନିବେଶକମାନେ ଭାରତକୁ ଉପଯୁକ୍ତ ସ୍ଥାନ ବିବେଚନା କରୁଛନ୍ତି । ଏହା ଗତ ୧୦ ବର୍ଷରେ କରାଯାଇଥିବା ବୃହତ୍ ସଂସ୍କାର ପରିଣତି ହୋଇଛି । ଉକ୍ତ ସଂସ୍କାରଗୁଡିକ ଭାରତର ବୃହତ୍ ଅର୍ଥନୈତିକ ମୂଳଦୁଆରେ ରୂପାନ୍ତରଣ ଆଣିଛି । ପ୍ରଧାନମନ୍ତ୍ରୀ କହିଥିଲେ, କେନ୍ଦ୍ର ସରକାର ପ୍ରକ୍ରିୟାଗତ ସଂସ୍କାରକୁ ସରକାରଙ୍କର ସମ୍ପ୍ରତି ଚାଲିଥିବା ପ୍ରୟାସସମୂହ ସହିତ ସମନ୍ୱିତ କରିଛନ୍ତି । ଏହା ଏବେ ରାଜ୍ୟ ସରକାରମାନଙ୍କୁ ସେହି ସମାନ ସଂସ୍କାର ତ୍ୱରାନ୍ୱିତ କରିବାକୁ ଉତ୍ସାହିତ କରୁଛି ।