ଦିନକୁ ଦିନ ମଧ୍ୟପ୍ରାଚ୍ୟର ସ୍ଥିତି ସଂଗୀନ ହେଉଥିବା ବେଳେ ପୁଣି ଥରେ ଇସ୍ରାଏଲ ଗାଜାରେ ଏୟାରଷ୍ଟ୍ରାଇକ୍ ଆରମ୍ଭ କରିଛି। ରବିବାର ମଧ୍ୟ- ଗାଜାର ଏକ ମସଜିଦ ଉପରେ ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ଼ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୨୧ ଜଣ ପାଲେଷ୍ଟାନୀୟଙ୍କ ମୃତ୍ୟୁ ହେବାସହ ଅନେକ ଆହତ ହୋଇଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଓ ହମାସ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ପୁଣିଥରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ହୋଇଛି।
ସୂଚନାଯୋଗ୍ୟ ଯେ, ମଧ୍ୟ ଗାଜା-ପଟ୍ଟି ଡେର୍ ଅଲ-ବାଲା ସ୍ଥିତ ଅଲ-ଅକ୍ସା ହସ୍ପିଟାଲ ନିକଟରେ ଥିବା ଏକ ମସଜିଦ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ହୋଇଛି । ଇସ୍ରାଏଲ ସେନା ପ୍ରତିଶୋଧ ପରାୟଣ ହୋଇ ପଡିଥିବା ବେଳେ ହମାସ ଆତଙ୍କବାଦୀ ସକ୍ରିୟ ଥିବା ଡେର ଅଲ ବାଲା ଅଞ୍ଚଳ ନିକଟସ୍ଥ ଶୁହାଦା ଅଲ-ଅକ୍ସା ମସ୍ଜିଦକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଏହି ମସଜିଦ ଭିତରେ ହମାସ କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ଚଳାଉଥିବା ସୂଚନା ପାଇ ଏହି ଆକ୍ରମଣ କରିଥିବା ଜଣା ପଡିଛି ।
ପ୍ରକାଶଥାଉ କି, ଗାଜା ଏବଂ ଇସ୍ରାଏଲ ମଧ୍ୟରେ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଇସ୍ରାଏଲ ନାଗରିକଙ୍କୁ ହତ୍ୟା ଏବଂ ବନ୍ଧକ ରଖିବା ପରେ ହମାସ ବିରୋଧରେ ଅଭିଯାନକୁ ତ୍ୱରାନ୍ୱିତ କରିଛି ଇସ୍ରାଏଲ। ସେଥିପାଇଁ ଗାଜାରେ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ରହିଥିବା ବେଳେ ଯୁଦ୍ଧ ବନ୍ଦ କରିବା ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ସହିତ ପୋଲିଓ ଅଭିଯାନ ଭଳି ମାନବିକ ସହାୟତା ମଧ୍ୟ ଜାରି ରହିଛି।