ଭୁବନେଶ୍ୱର: ବାୟୁ ମଣ୍ତଳରେ ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହେବା ଯୋଗୁଁ ଏହା ପ୍ରଭାବରେ ଶୁକ୍ରବାରଠାରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଫଳରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ବିଶେଷ ନାହିଁ। ଅପରପକ୍ଷରେ ଓଡ଼ିଶାର ଅନେକ ଅଂଚଳରେ ପାଗ ଶୁଖିଲା ରହିବା ସହିତ ଗରମ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଲଘୁଚାପ ପ୍ରଭାବରେ ସୋମବାର କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ସବୁ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସ୍ଥାନ ଗୁଡିକରେ ବର୍ଷାର ପରିମାଣ ବୃଦ୍ଧି ପାଇ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହା ସକ୍ରିୟ ରହିବ। ତେବେ ଆସନ୍ତା ୧୧ ଓ ୧୨ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।