ଦିଲ୍ଲୀ: ରବିବାରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣିଥରେ ୩ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେଠାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ମାଓ ମୁକାବିଲାକୁ ନେଇ ବସିବାକୁ ଥିବା ବୈଠକ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। କେନ୍ଦ୍ରରେ ତୃୀତୟ ଥର ବିଜେପି ସରକାର ଗଠନ କରିବା ପରେ ଏହା ପ୍ରଥମ ବୈଠକ । ସେହିପରି ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ଏହା ପ୍ରଥମ କେନ୍ଦ୍ର-ରାଜ୍ୟ ମିଳିତ ମାଓ-ମୁକାବିଲା ବୈଠକ ।ଏହି ଗସ୍ତ ଅବସରରେ ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାକ୍ଷାତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।
ସୂଚନାଯୋଗ୍ୟ ଯେ, ସୋମବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲ୍ୟୁଇ) ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଅମିତ ଶାହା। ଏହି ବୈଠକରେ ୫ ଜଣ କେନ୍ଦ୍ରମନ୍ତ୍ରୀ, ଡେପୁଟି ଏନ୍ଏସ୍ଏ, କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ। ବୈଠକରେ ଏହି ରାଜ୍ୟ ଗୁଡିକରେ ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହେବ। ତେବେ ବୈଠକ ପୂର୍ବରୁ ଆଜି ଅମିତ ଶାହା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମାଓ ମୁକାବିଲା ନେଇ ଆଲୋଚନା କରିବେ।
ପ୍ରକାଶଥାଉ କି, କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ବାମପନ୍ଥୀ ଉଗ୍ରବାଦର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ପାଇଁ ଲକ୍ଷ୍ୟ ରଖିବା ବେଳେ ନକ୍ସଲବାଦର ମୁକାବିଲା ପାଇଁ ଏଲଡବ୍ଲ୍ୟୁଇ ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୩ ମସିହା ଅକ୍ଟୋବର ୬ ତାରିଖରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶେଷ ଥର ପାଇଁ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଉଗ୍ରବାଦ ହିଂସା ୭୨% ହ୍ରାସ ପାଇଥିବା ସୂଚନା ମିଳିଥିଲା । ତେବେ ୨୦୧୦ ତୁଳନାରେ ୨୦୨୩ରେ ଏହି ସମ୍ପର୍କିତ ହିଂସା ଘଟଣାରେ ମୃତ୍ୟୁସଂଖ୍ୟା ମଧ୍ୟ ୮୬ % ହ୍ରାସ ପାଇଥିବା ରିପୋର୍ଟ ପ୍ରକାଶ ପାଇଛି ।