ନୂଆଦିଲ୍ଲୀ: ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ସୋମବାର ମୁଇଜୁ ମାଳଦ୍ୱୀପର ପ୍ରଥମ ମହିଳା ତଥା ତାଙ୍କ ଧର୍ମପତ୍ନୀ ସାଜିଦା ମହମ୍ମଦଙ୍କ ସହ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତରେ ପହଂଚିବା ପରେ ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ଜୟଶଙ୍କର ନିଜ ସୋସିଆଲ ଆକାଉଣ୍ଟ ଏକ୍ସ’ରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନରୁ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ତିକ୍ତତା ଲାଗି ରହିଥିବା ବେଳେ ଏହି ସମ୍ପର୍କରେ ସୁଧାର ଆଣିବା ପାଇଁ ମୁଇଜୁଙ୍କ ଏହି ଭାରତ ଗସ୍ତ ବିଶେଷ ସହାୟକ ହେବା ନେଇ ଅନୁମାନ କରାଯାଉଛି। ଏହି ଗସ୍ତ ସମୟରେ ଉଭୟ ଦେଶର ପାରସ୍ପରିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଇଜୁଙ୍କର ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି।
ପ୍ରକାଶଥାଉ କି, ୪ ମାସ ମଧ୍ୟରେ ଏହା ହେଉଛି ମହମ୍ମଦ ମୁଇଜୁଙ୍କର ଦ୍ୱିତୀୟ ଭାରତ ଗସ୍ତ। ଗତ ଜୁନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶପଥ ଗ୍ରହଣ ସମାରୋହରେ ମଧ୍ୟ ଯୋଗ ଦେଇଥିଲେ ମୁଇଜୁ। ତେବେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ସେ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଥିବା ସୂଚନା ମିଳିଛି।