ଭୁବନେଶ୍ୱର: ବାୟୁ ମଣ୍ତଳରେ ସୃଷ୍ଟ ସାଇକ୍ଲୋନିକ୍ ସର୍କୁଲେସନ୍ ଯୋଗୁଁ ଏହାର ପ୍ରଭାବରେ ଶୁକ୍ରବାରଠାରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଫଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ବିଶେଷ ନଥିବା ବେଳେ ଦଶହରା ଭଲରେ କଟିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଅପରପକ୍ଷରେ ରାଜ୍ୟରେ ମୌସୁମୀ ସକ୍ରିୟ ଥିଲେ ମଧ୍ୟ ଓଡ଼ିଶାର ଅନେକ ଅଂଚଳରେ ପାଗ ଶୁଖିଲା ରହିବା ସହିତ ଗରମ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି।
ଲଘୁଚାପ ପ୍ରଭାବରେ ମଙ୍ଗଳବାର ୨୩ଟି ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ସବୁ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୋମବାର ମୟୂରଭଂଜ ଜିଲ୍ଲାର ଚନ୍ଦନପୁରରେ ସର୍ବାଧିକ ୭୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ବାଙ୍ଗିରିପୋଷିରେ ୬୬, କେନ୍ଦୁଝରର ଯୋଡାରେ ୩୩.୬, ଅନୁଗୁଳ ଛେଣ୍ତିପଦାରେ ୩୧.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଅପରପକ୍ଷରେ ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ସତ୍ତ୍ୱେ ରାଜ୍ୟରେ ଗରମ ସହିତ ଗୁଳୁଗୁଳି ଅନୁଭୂତ ହଉଛି। ସୋମବାର ପାରଳାଖେମୁଣ୍ତିରେ ରାଜ୍ୟର ସର୍ବୋର୍ଚ୍ଚ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ପାରାଦୀପରେ ୩୫.୨, ବୌଦ୍ଧରେ ୩୫.୨, ସମ୍ବଲପୁର ଓ ଝାରସୁଗୁଡାରେ ୩୫, ପୁରୀରେ ୩୪.୭, ବରଗଡରେ ୩୪.୬, ମାଲକାନଗିରିରେ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି।