ହାଇଫା : ସୋମବାର ଇସ୍ରାଏଲ-ହମାସ ଯୁଦ୍ଧକୁ ୧ ବର୍ଷ ପୁରଣ ହୋଇଥିବା ବେଳେ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି ହେଜବୁଲ୍ଲା। ତେବେ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଏହା ଦ୍ୱିତୀୟ ବୃହତ୍ତ ଆକ୍ରମଣ। ସୋମବାର ହେଜବୋଲ୍ଲା ପକ୍ଷରୁ ପ୍ରାୟ ୧୩୫ଟି ‘ଫାଦୀ-୧’ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଇସ୍ରାଏଲର ହାଇଫା ଅଞ୍ଚଳରେ ଏହି କ୍ଷେପଣାସ୍ତ୍ର ମାଡ଼ କରିଛି ହେଜବୋଲ୍ଲା। ସୋମବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ହାଇଫାରେ ରକେଟ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରିଛି ବୋଲି ହେଜବୋଲ୍ଲା ଦାବି କରିଛି। ତେବେ ହେଜବୋଲ୍ଲା ପ୍ରଥମ ଥର ପାଇଁ ‘ଫାଦୀ -୧’ କ୍ଷେପଣାସ୍ତ୍ର ବ୍ୟବହାର କରି ବ୍ୟାପକ କ୍ଷତି ଘଟାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ହାଇଫା ଇସ୍ରାଏଲର ତୃତୀୟ ବୃହତ୍ତମ ସହର ହୋଇଥିବା ବେଳେ ସୋମବାର ହେଜବୋଲ୍ଲା ପକ୍ଷରୁ ଏହାକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୧୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଆହୁରି ଆକ୍ରମଣ ଭୟରେ ଲୋକମାନେ ବୋମା ଆଶ୍ରୟସ୍ଥଳରେ ଲୁଚି ରହିଥିବାର ସୂଚନା ମିଳିଛି। ୨୦୨୩ ମସିହା ଅକ୍ଟୋବର ୭ ରେ ଇସ୍ରାଏଲ ସେନା ହମାସ ଦ୍ୱାରା କରାଯାଇଥିବା ନରସଂହାରର ପ୍ରଥମ ବାର୍ଷିକୀ ପାଳନ କରୁଥିବା ବେଳେ ଏହି ସମୟ ମଧ୍ୟରେ ହେଜବୋଲ୍ଲାର ଏହି ଭୟଙ୍କର ଆକ୍ରମଣ ଯୋଗୁଁ ଇସ୍ରାଏଲ ସହର ଥରି ଉଠିଛି।