ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅନୁଷ୍ଠିତ ନିର୍ବାଚନରେ ପିଡିପି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କନ୍ୟା ଇତିଜା ମୁଫତି ପରାସ୍ତ ହୋଇଛନ୍ତି । ସେ ଶ୍ରୀଗୁଫୱାଡା-ବିଜବେହାଡା ଆସନରୁ ନିର୍ବାଚନ ଲଢିଥିଲେ । ଉକ୍ତ ଆସନରୁ ପାରମ୍ପରିକ ଭାବରେ ପିଡିପି ପ୍ରାର୍ଥୀ ବିଜୟୀ ହୋଇଆସୁଥିଲେ । ତେବେ ଚଳିତ ଥର ସେଠାରୁ ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ବଶିର ଅହମଦ ଶାହା ଭୀରି ବିଜୟୀ ହୋଇଛନ୍ତି । ପରାଜୟକୁ ଇତିଜା ସ୍ୱୀକାର କରିବା ସହିତ ତାଙ୍କର ଦଳର କର୍ମୀ ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇତିଜା କହିଛନ୍ତ, ସେ ଜନମତକୁ ଗ୍ରହଣ କରୁଛନ୍ତି । ବିଜବେହାଡାର ଜନସାଧାରଣ ତାଙ୍କୁ ଯେଉଁଭଳି ସ୍ନେହ ଓ ଭଲପାଇବା ଦେଇଛନ୍ତି ତାହା ତାଙ୍କର ଚିରଦିନ ମନେରହିବ । ପିଡିପି କର୍ମା ଏବଂ ଅନ୍ୟ ଯେଉଁମାନେ ପ୍ରଚାର ସମୟରେ ତାଙ୍କ ପାଇଁ ଓ ଦଳ ପାଇଁ କାମ କରିଛନ୍ତି, ସେମାନଙ୍କୁ ସେ କୃତଜ୍ଞତା ଜଣାଉଛନ୍ତି । ଉକ୍ତ ଆସନରେ ପିଡିପିର ଅବଦୁଲ ରେହମାନ ଭଟ ୧୯୯୯ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ଦୁଇ ଦଶନ୍ଧି ଧରି ପ୍ରତିନିଧିତ୍ୱ କରିଆସୁଥିଲେ । ତାହା ପୂର୍ବରୁ ବିଜବେହାଡାରେ ମେହବୁବା ମୁଫତି କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟୀ ହୋଇଥିଲେ । ଏହା ଅନନ୍ତନାଗ-ରାଜୋ÷ରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ଯେଉଁଠାରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ମେହବୁବା ମୁଫତିଙ୍କୁ ନ୍ୟାସନାଲ କନଫରେନ୍ସର ମିଆଁ ଅଲତାଫ ପରାସ୍ତ କରିଥିଲେ ।