ଇମ୍ଫାଲ: ମଣିପୁରରେ ପୁଣି ହିଂସାତ୍ମକ ଘଟଣା ଘଟିଛି । ଇମ୍ଫାଲ ସହରରେ ଏକ ବିବାଦୀୟ ଜମିକୁ ‘ସ୍ୱଚ୍ଛ ଅଭିଯାନ’ ଅଧୀନରେ ସଫେଇ କରାଯାଉଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ତିନିଜଣଙ୍କର ପ୍ରାଣହାନି ଘଟିଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ନିହତ ତିନିଜଣଙ୍କ ମଧ୍ୟରେ ମଣିପୁର ରାଇଫଲ୍ସର ଜଣେ ଯବାନ ରହିଥିବା ଜଣାଯାଇଛି । ଏଥିସହିତ ମଣିପୁରର ଉଖ୍ରୁଲ ସହରରେ ଉତ୍ତ୍ୟକ୍ତ ଲୋକେ ଏକ ଥାନା ଉପରେ ଆକ୍ରମଣ କରି ସେଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ଘଟଣା ଘଟିବା ପରେ ସେଠାରେ ନିଷେଧାଦେଶ ଜାରି କରାଯିବା ସହିତ ସହରରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି । ହିଂସାରେ ଲିପ୍ତ ବ୍ୟକ୍ତିମାନେ ଥାନାରୁ ଏକେ-୪୭ ଏବଂ ଇନ୍ସାସ ରାଇଫଲ ନେଇଯାଇଥିବା ଏକ ସୂତ୍ରରୁ କୁହାଯାଇଛି ।
ପୂର୍ବରୁ ମଧ୍ୟ ଏହି ହିଂସାପ୍ରବଣ ରାଜ୍ୟରେ ଏକାଧିକ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟ ଘଟଣା ଘଟିଥିଲା । କିନ୍ତୁ ସେହି ସମସ୍ତ କ୍ଷେତ୍ରରେ ଉକ୍ତ ଅଞ୍ଚଳଗୁଡିକରେ ମେଇତି ଅଥବା କୁକି ସଂଖ୍ୟାଗରିଷ୍ଠ ଥିଲେ । ରାଜ୍ୟରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଲାଗି ରହିଛି । ତେବେ ନାଗା ସଂଖ୍ୟାଗରିଷ୍ଠ ଥିବା ଅଞ୍ଚଳରେ ପ୍ରଥମ ଥର ପାଇଁ ଥାନାରୁ ଅସ୍ତ୍ରଶସ୍ତ୍ର ଲୁଟ କରାଯାଇଛି । ଜଣାଯାଇଛି ଯେ ଅସ୍ତ୍ର ଲୁଟ ହୋଇଥିବା ଉଖ୍ରୁଲ ଥାନା ଆସାମ ରାଇଫଲ୍ସ ଶିବିରଠାରୁ ଅଳ୍ପ କିଛି ମିଟର ଦୂରରେ ଅବସ୍ଥିତ । ଇତିମଧ୍ୟରେ ରାଜ୍ୟର ଅତିରିକ୍ତ ପୋଲିସ ମହାନିଦେ୍ର୍ଦଶକ ଏଲ କାଇଲୁନ୍ ସମସ୍ତ ଜିଲ୍ଲା ଏସପି ଏବଂ ଅନ୍ୟ ଅଧିକାରୀମାନଙ୍କୁ ପୂର୍ଣ୍ଣ ସଜାଗ ରହିବା ଏବଂ ସେମାନଙ୍କ ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାକୁ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଗୋଷ୍ଠୀ ସଂଘର୍ଷରେ ଆହତଙ୍କ ମଧ୍ୟରୁ ଦଶଜଣଙ୍କୁ ଇମ୍ଫାଲର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଅବଶିଷ୍ଟ ଆହତଙ୍କୁ ଉଖ୍ରୁଲସ୍ଥିତ ହସପିଟାଲରେ ଚିକିତ୍ସା କରାଯାଉଥିବା ଜଣାଯାଇଛି । ଏଥିସହିତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେଠାରୁ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ଯବାନଙ୍କୁ ପଠାଯାଇଛି ।
ନାଗା ଅଧ୍ୟୁଷିତ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ତାଙ୍ଗଖୁଲ ନାଗାର ତିନିଜଣ ବିଧାୟକ ଗ୍ରାମବାସୀଙ୍କୁ ଶାନ୍ତି ବଜାୟ ରଖିବା ସମସ୍ତ ବିବାଦ ଆପୋଷ ଆଲୋଚନା ଜରିଆରେ ସମାଧାନ କରିବାକୁ ନିବେଦନ କରିଛନ୍ତି । ଉଖ୍ରୁଲ ସହରରେ ବିଏନଏସଏସ୍ର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି କରାଯାଇଛି । ମଣିପୁରରେ ୨୦୨୩ ମେ’ରୁ ଚାଲିଥିବା ହିଂସାରେ ୨୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ଘଟିବା ସହିତ ହଜାର ହଜାର ଲୋକ ବାସହରା ହୋଇସାରିଲେଣି ।