ଭୁବନେଶ୍ୱର: ବାୟୁ ମଣ୍ତଳରେ ସୃଷ୍ଟ ସାଇକ୍ଲୋନିକ୍ ସର୍କୁଲେସନ୍ ଯୋଗୁଁ ଏହାର ପ୍ରଭାବରେ ଶୁକ୍ରବାରଠାରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ବୁଧବାର ମଧ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ବିଶେଷ ନଥିବା ବେଳେ ଦଶହରା ଭଲରେ କଟିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ବୁଧବାର ଉତ୍ତର ଓଡିଶାର କିଛି ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହି ସମୟରେ ଭଦ୍ରକ, କେନ୍ଦୁଝର, କୋରାପୁଟ୍, ମୟୂରଭଂଜ, ସୁନ୍ଦରଗଡ, ବାଲେଶ୍ବର, ମାଲକାନଗିରି, ରାୟଗଡା ଓ ଗଜପତିରେ ବିଜୁଳି ଘଡ଼଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଅପରପକ୍ଷରେ ମଙ୍ଗଳବାର ସକାଳ ୮.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ନୟାଗଡରେ ସର୍ବାଧିକ ୧୫.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାସହିତ ଢେଙ୍କାନାଳ, ଦାରିଙ୍ଗିବାଡି, ଫୁଲବାଣୀ ,କୋରାପୁଟ୍, କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ,ଭୁବନେଶ୍ବର, କଟକ ଏବଂ ଚାନ୍ଦବାଲିରେ ମଧ୍ୟ ବର୍ଷା ହୋଇଛି। ସେହିପରି ଆସନ୍ତା ୨୪ଘଣ୍ଟାରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତିରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।