ବୁଧବାର ରାତିରେ ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ନିଧନ ହୋଇଛି । ଏହି ଦୁଖଦଃ ଖବର ପାଇଁ ଚାରିଆଡେ ଶୋକର ଛାୟା ଖେଳି ଯାଇଥିବା ବେଳେ କିଏ ତାଙ୍କ ଉତ୍ତରାଧିକାରୀ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି ?
ରତନ ଟାଟା ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଥିବା ବେଳେ ତାଙ୍କ ଦେହାନ୍ତ ପରେ ଟାଟା ଗ୍ରୁପର ବିଶାଳ ବ୍ୟବସାୟ ସାମ୍ରାଜ୍ୟର ମଙ୍ଗ କିଏ ସମ୍ଭାଳିବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ରତନଙ୍କ ସାବତ ଭାଇ ନୋଏଲ ଟାଟା ତାଙ୍କ ଉତ୍ତରାଧିକାରୀ ହେବା ନେଇ ଚର୍ଚ୍ଚା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରତନ ଟାଟାଙ୍କ ନିଧନ ପରେ ନୋଏଲ ଟାଟାଙ୍କ ସହିତ କଥା ହେବା ସହିତ ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାବତ ଭାଇ। ରତନ ଟାଟାଙ୍କ ପିତା ନଭଲ ଟାଟା ୨ଟି ବିବାହ କରିଥିଲେ। ନଭଲ ଟାଟା ସୁନୀ କମିଶ୍ରିଏଟଙ୍କୁ ପ୍ରଥମ ବିବାହ କରିଥିବା ବେଳେ ତାଙ୍କର ୨ଟି ସନ୍ତାନ ଥିଲେ, ରତନ ଟାଟା ଏବଂ ଜିମି ଟାଟା। ନଭଲ ଟାଟା ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ୧୯୫୫ରେ ସ୍ଵିଜରଲାଣ୍ଡର ବ୍ୟବସାୟୀ ସିମୋନଙ୍କୁ ବିବାହ କରିଥିଲେ। ନଭଲ ଏବଂ ସିମୋନଙ୍କ ପୁଅ ହେଉଛନ୍ତି ନୋଏଲ ଟାଟା। ରତନ ଏବଂ ଜିମି ଉଭୟ ବିବାହ କରି ନଥିବାରୁ ନୋଏଲ ଟାଟା ଟାଟା ଗ୍ରୁପର ଉତ୍ତରାଧିକାରୀ ହେବା ନେଇ ଚର୍ଚ୍ଚା ହେଉଛି ।
ନୋଏଲ ଟାଟା ବର୍ତ୍ତମାନ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବଜୀ ଟାଟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଥିବା ବେଳେ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ଼, ଭୋଲଟାସ ଲିମିଟେଡ଼, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ଏବଂ ଟାଇଟନ କମ୍ପାନୀର ଉପାଧ୍ୟକ୍ଷ ଅଟନ୍ତି । ତେବେ ରତନଙ୍କ ନିଧନ ପରେ ସେ ଟାଟା ପରିବାରର ମଙ୍ଗ ଧରିବା ନେଇ ଚର୍ଚ୍ଚା ଜୋର ଧରିଛି।
ସେହିପରି ନୋଏଲଙ୍କ ତିନି ସନ୍ତାନ୍ତଙ୍କୁ ମଧ୍ୟ ଟାଟାଙ୍କ ଉତ୍ତରାଧିକାରୀ ଭାବେ ବିଚାର କରାଯାଉଛି। ସେମାନେ ହେଲେ ମାୟା ଟାଟା, ନେଭିଲ୍ ଟାଟା ଓ ଲି ଟାଟା। ଏହି ୩ ଜଣ ଟାଟା ଗ୍ରୁପରେ ବିଭିନ୍ନ ଦାୟିତ୍ୱ ପରିଚାଳନା କରୁଥିବା ବେଳେ ୩୪ ବର୍ଷୀୟ ମାୟା ଟାଟା ଟାଟା ଅପର୍ଚ୍ୟୁନିଟି ଓ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍ କରୁଥିବା ବେଳେ ୩୯ ବର୍ଷୀୟା ଲି ଟାଟା ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖିବା ସହ ତାଜ ହୋଟେଲ ରିସର୍ଟ ଏବଂ ପ୍ୟାଲେସର ପରିଚାଳନା ଏବଂ ଇଣ୍ଡିଆନ ହୋଟେଲ କମ୍ପାନୀର ତଦାରଖ କରୁଛନ୍ତି।