ମୁମ୍ବାଇ: ବୁଧବାର ରାତିରେ ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ନିଧନ ହୋଇଛି । ତେବେ ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ବେଳେ ରାଜ୍ୟ ସରକାର ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବା ପ୍ରସ୍ତାବକୁ ପାରିତ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗୁରୁବାର ମହାରାଷ୍ଟ୍ର ରେ ଆୟୋଜିତ କ୍ୟାବିନେଟ ବୈଠକରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସ୍ୱର୍ଗତ ରତନ ଟାଟାଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ମଂଜୁର କରିଛି। କେନ୍ଦ୍ର ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରାଯାଇଛି।
ପ୍ରକାଶଥାଉ କି, ରତନ ଟାଟା ଉଦ୍ୟୋଗ କ୍ଷେତ୍ରରେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଥିବା ବେଳେ ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନ ଓ ୨୦୦୮ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୦୪ ମସିହାରେ ରିପବ୍ଲିକ ଅଫ ଉରୁଗୁଏ, ୟୁନିଭର୍ସିଟି ଅଫ କ୍ଯାମ୍ପ୍ରିଜ, ଆଇଆଇଟି ବମ୍ବେ, ସିଙ୍ଗାପୁର ତଥା ଫ୍ରାନ୍ସ ଓ ଲଣ୍ଡନରୁ ଅନେକ ସମ୍ମାନ ପାଇଥିଲେ ରତନ।