ଉତ୍ତରାଖଣ୍ଡ: ପୁଣିଥରେ ଟ୍ରେନ ଦୁର୍ଘଟଣା କରିବାକୁ ଷଡଯନ୍ତ୍ର ହୋଇଥିବା ବେଳେ ଟ୍ରେନ ଟ୍ରାକରେ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏପରି ଘଟିଛି ଉତ୍ତରାଖଣ୍ଡସ୍ଥିତ ରୁଡକୀଠାରେ। ଏଠାରେ ଥିବା ଟ୍ରେନ ଟ୍ରାକରେ ଗ୍ୟାସ ସିଲିଣ୍ଡର ଜବତ ହୋଇଥିବା ବେଳେ ମାଲଗାଡି ଦୁର୍ଘଟଣା କରିବା ପାଇଁ ଏକ ଗ୍ୟାସ ସିଲିଣ୍ଡରକୁ ଟ୍ରାକରେ ରଖାଯାଇଥିବା ଜଣା ପଡିଛି । ତେବେ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁଁ ଏକ ବଡ ଦୁର୍ଘଟଣାକୁ ରୋକା ଯାଇପାରିଛି ।
ତେବେ ଆରପିଏଫ ପକ୍ଷରୁ ସୂଚନା ଅନୁଯାୟୀ, ଟ୍ରାକରେ ସିଲିଣ୍ଡର ଥିବା ଖବର ମିଳିବା ପରେ ୫ କିମି ପର୍ଯ୍ୟନ୍ତ କର୍ମଚାରୀମାନେ ଚେକିଂ କରିଥିଲେ । କିନ୍ତୁ କିଏ ଟ୍ରାକରେ ସିଲିଣ୍ଡର ରଖିଥିଲା ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ । ଜବତ ଗ୍ୟାସ ସିଲିଣ୍ଡରକୁ ଷ୍ଟେସନ ମାଷ୍ଟର ପାଖରେ ରଖାଯାଇ ଆରପିଏଫ ପକ୍ଷରୁ ଅଜଣା ବ୍ୟକ୍ତି ନାମରେ ଏଫଆଇଆର ଦାୟର କରାଯାଇଛି । ଯେଉଁ ଟ୍ରାକରେ ସିଲିଣ୍ଡର ମିଳିଛି, ଏହାର କିଛି ଦୂରରେ ବଙ୍ଗାଳ ଇଂଜିନିୟରିଂ ଗ୍ରୁପ ଆଣ୍ଡ ସେଣ୍ଟରର ହେଡକ୍ୱାଟର ରହିଥିବା ସୂଚନା ମିଳିଛି ।
ପ୍ରକାଶଥାଉ କି, ନିକଟରେ ରାୟବରେଲି ଜିଲ୍ଲାର ରଘୁରାଜପୁର ରେଲୱେ ଷ୍ଟେସନ ପାଖରେ ଥିବା ଟ୍ରାକ୍ରେ ମାଟି ଗଦା ହୋଇଥିଲା । ରାୟବରେଲି-ରଘୁରାଜପୁର ଶଟଲ ଟ୍ରେନର ଲୋକ ପାଇଲଟ ଏହା ଦେଖି ଏମରଜେନ୍ସି ବ୍ରେକ ମାରିବା ଫଳରେ ଟ୍ରେନଟି ଅଟକି ଯାଇଥିଲା । ତେବେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା ଘଟାଇବାକୁ ଦୁର୍ବୃତ୍ତ ମାନେ ବାରମ୍ବାର ଷଡ଼ଯନ୍ତ୍ର ରଚୁଥିବା ସୂଚନା ମିଳିଛି ।