ଛତିଆ: ଯାଜପୁର ଜିଲ୍ଲା ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇ ଜଳିଯାଇଛି ବସ୍। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଯାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ସୋମବାର ସକାଳେ ‘ଚକାଡୋଳା’ ବସ୍ ବାରିପଦାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସମୟରେ ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା। ଏହାପରେ ହଠାତ ବସ୍ରେ ନିଆଁ ଲାଗିଯାଇଥିଲା। ତେବେ ରାସ୍ତା ଉପରେ ବସଟି ହୁତୁ ହୁତୁ ହୋଇ ଜଳିଯାଇଥିଲା।
ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବସ୍ରେ ୮୦ରୁ ଅଧିକ ଯାତ୍ରୀ ଥିବା ବେଳେ ସେମାନଙ୍କ ଜିନିଷ ପତ୍ର ନିଆଁରେ ପୋଡ଼ି ଜଳିଯାଇଛି। କିଛି ସମୟ ପାଇଁ ସେହି ରାସ୍ତାରେ ଗାଡ଼ିଚଳାଚଳ ବନ୍ଦ ରହିବା ପରେ ଗାଡ଼ିଚଳାଚଳ ସ୍ୱାଭାବିକ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି।