ପୁରୀ: ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୪ ତାରିଖରେ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସୁଛନ୍ତି ରାଷ୍ଟ୍ରପତି। ୨୪ ତାରିଖ ଦିନ ୧୨ଟାରୁ ୧ଟା ପର୍ଯ୍ୟନ୍ତ ଆୟୁର୍ବେଦ ମହାବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିଷ୍ଠା ଦିବସ ସମାରୋହରେ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ କେନ୍ଦ୍ର ଆୟୁଷ ମନ୍ତ୍ରୀ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଅତିଥି ଭାବେ ଯୋଗଦେବା ପାଇଁ କଲେଜ କର୍ତୃପକ୍ଷ ନିମନ୍ତ୍ରଣ କରିଛନ୍ତି। ତେବେ ସୋମବାର ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯକ୍ରମ ଚିଠି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।