ଭୁବନେଶ୍ବର: ଗତ ଶୁକ୍ରବାର ଦିଲ୍ଲୀରେ ଜଣେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ଓଡିଶା ସାରା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ମାମଲାରେ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ । ସୋମବାର ମାମଲାର ତଦନ୍ତ ସମ୍ପର୍କରେ ଡିଜିପି ଖୁରାନିଆ ଦିଲ୍ଲୀ କମିଶନରଙ୍କଠାରୁ ଟେଲିଫୋନିକ ବାର୍ତ୍ତାଳାପ ମାଧ୍ୟମରେ ଅଵଗତ ହୋଇଥିବା ସୂଚନା ମିଳିଛି । ତେବେ ଖୁବଶୀଘ୍ର ଓଡିଶା ପୋଲିସର ଏକ ଟିମ୍ ଦିଲ୍ଲୀ ଗସ୍ତ କରି ଏମ୍ସରେ ଚିକିତ୍ସାଧୀନ ଥିବା ପୀଡିତାଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟ ମହିଳା ଓ ଶିଶୁ ଅପରାଧ ଶାଖା ଆଇଜି ଏସ. ସାଇନଙ୍କ ନେତୃତ୍ବରେ ପୋଲିସ ଅଧିକାରୀଙ୍କ ଏକ ଟିମ୍ ଦିଲ୍ଲୀ ଗସ୍ତ କରି ପୀଡିତାଙ୍କୁ ସାକ୍ଷାତ କରିବା ସହ ପିଡୀତଙ୍କ ସହ ଆଲୋଚନା କରିବ। ଏହି ତଦନ୍ତ ସମୟରେ ଦିଲ୍ଲୀ ପୋଲିସ ସହ ସମନ୍ବୟ ରଖି ଏହାକୁ କ୍ରିୟାଶୀଳ କରିବ ଓଡିଶା ପୋଲିସ ଟିମ୍ । ଓଡିଶା ପୋଲିସ ପକ୍ଷରୁ ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଯୋଗାଯୋଗ ହେବା ପରେ ପୋଲିସ ଟିମ୍ ସହ ପୀଡିତାଙ୍କ ପରିବାର ସଦସ୍ୟଙ୍କ ଦିଲ୍ଲୀ ଯିବା ନେଇ ସୂଚନା ମିଳିଛି।
ପ୍ରକାଶଥାଉ କି, ଗତ ଶୁକ୍ରବାର ଭୋର ସମୟରେ ଦିଲ୍ଲୀର ସରାଇ କାଲେ ଖାନ ଅଞ୍ଚଳରେ ଉକ୍ତ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ପୋଲିସ ପୀଡିତା ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିବା ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ସେ ବର୍ତ୍ତମାନ ସେଠାରେ ଚିକିତ୍ସାଧୀନ ଅଛନ୍ତି ।
ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ, ୩୪ ବର୍ଷୀୟା ପୀଡିତା ଜଣକ ଓଡିଶାର ବାସିନ୍ଦା ହୋଇଥିବା ବେଳେ ଏକ ବର୍ଷ ହେବ ଦିଲ୍ଲୀର କାଟୱରିଆସାରରେ ଅନ୍ୟ ଜଣେ ଯୁବତୀଙ୍କ ସହ ଘର ଭଡା ନେଇ ରହୁଥିଲେ । ତେବେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଅଗଷ୍ଟରେ ସେ ଘର ଛାଡି ଦେଇଥିଲେ । ସେ ଅନେକ ଦିନ ରାସ୍ତାରେ ବୁଲୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେଣୁ ଏହାର ସୁଯୋଗ ନେଇ ଗତ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।