କେନ୍ଦ୍ରାପଡ଼ା : ପେପର ପ୍ରସ୍ତୁତି ସମୟରେ ଏଥିରେ କ୍ଲୋରିନ, ଡାଇଅକ୍ସାଇଡ, ସଲଫ୍ୟୁରିକ ଅମ୍ଳ ଭଳି ରାସାୟନିକ ପଦାର୍ଥ ମିଶିଥାଏ । ଏହାକୁ କପ୍ ତିଆରି କରିବାବେଳେ ପାଣି ବୋହି ନ ଯିବା ପାଇଁ ଏଥିରେ ପାରାଫିନ ୱାକ୍ସ ବା ମହମ, ପଲି-ଇଥିଲିନ ଭଳି ରାସାୟନିକ ପଦାର୍ଥର ଆସ୍ତରଣ ଦିଆଯାଏ । ଏହି କପରେ ଗରମ ଚା’ ବା କଫି ଢାଳିଲେ ପଲିଲାକଟିକ ଏସିଡ ସୃଷ୍ଟି ହୁଏ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
ଏପରିକି କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ହୋଇଥାଏ । ଚା’ ଓ କଫିରେ ଥିବା କେଫିନ ପେପର କପରେ ଥିବା ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିଲେ ବିଷାକ୍ତୀକରଣ ପାନୀୟ ପ୍ରସ୍ତୁତ କରେ । ଯାହା ଧୀରଗାମୀ ବିଷକ୍ରିୟାର ପ୍ରତିଫଳନ ସୃଷ୍ଟି କରେ । ୨୦୧୯ରେ ମାଡ୍ରାସ ହାଇକୋର୍ଟ ମଧ୍ୟ ଏ ସମ୍ପର୍କିତ ଏକ ତଥ୍ୟରେ କହିଛନ୍ତି, ପେପର କପର ବ୍ୟବହାର ଶରୀର ପକ୍ଷେ ଓ ପରିବେଶ ପ୍ରତି ମଧ୍ୟ ବିପଦପୂର୍ଣ୍ଣ । ଏଣୁ ପାନୀୟ ପ୍ରସ୍ତୁତକାରୀ ପେପର କପ ବଦଳରେ କାଚ ଗ୍ଲାସରେ ଚା’ ଓ କଫି ପିଇବା ପାଇଁ ଉପଭୋକ୍ତାଙ୍କୁ ଦେବା ସର୍ବାଦୌ ନିରାପଦ । ଉପଭୋକ୍ତାମାନେ ମଧ୍ୟ ସଚେତନ ହୋଇ ପେପର କପରେ ଚା’, କଫି ନପିଇ ଦୋକାନୀଙ୍କୁ କାଚ ଗ୍ଲାସରେ ଦେବାପାଇଁ ସଚେତନ କରାନ୍ତୁ । କାଚ ଗ୍ଲାସ କିମ୍ବା କୁଲାଡ (ଧୁଆ ମାଟି କପ) ବ୍ୟବହାର କରାଯାଇ ପାରିବ । ଜନହିତରେ ଏ ପଦକ୍ଷେପ ନିଆଯିବା ଉଚିତ ବୋଲି କେନ୍ଦ୍ରାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନନ୍ତ କୁମାର ପରିଡ଼ା କହିଛନ୍ତି ।