ପାଟନା : ମଦମୁକ୍ତରାଜ୍ୟ ବୋଲାଉଥିବା ବିହାରରେ ପୁଣିଥରେ ଜୀବନ ନେଇଛି ବିଷାକ୍ତ ମଦ। ବୁଧବାର ବିହାରର ସିୱନ ଓ ସରନ୍ ଜିଲାରେ ବିଷାକ୍ତ ମଦ ପିଇ ଅନେକଙ୍କ ଜୀବନହାନୀ ଘଟିଥିବା ସୂଚନା ମିଳିଛି । ଏହି ଦୁଇ ଜିଲ୍ଲାରେ ପ୍ରାୟ ୨୧ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି । କିନ୍ତୁ ପ୍ରଶାସନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇ ମାତ୍ର ୯ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି । ଏହାସହ ୪୨ ଜଣ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଅନ୍ୟ କେତେକ ଗୁରୁତରଙ୍କୁ ପାଟନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମୃତକମାନଙ୍କ ମଧ୍ୟରେ ଅରବିନ୍ଦ ସିଂ (୪୦), ରାମେନ୍ଦ୍ର ସିଂ (୩୦), ସନ୍ତୋଷ ମହତୋ (୩୫), ମୁନ୍ନା (୩୨), ବ୍ରଜ ମୋହନ ସିଂ, ମୋହନ ଶାହଙ୍କ ସମେତ ମୋଟ୍ ୯ ଜଣଙ୍କ ନାଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ଏହି ମଦମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ତେବେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଭୟରେ ଆଉ କେତେକ ମଦ୍ୟପ ଲୁଚି ରହିଥିବା ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଘଟଣାର ତଦନ୍ତ ପାଇଁ ଏକ ଦଳ ଗଠନ କରାଯାଇଛି।
ପ୍ରକାଶଯୋଗ୍ୟ ଯେ, ବିହାରରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ ହୋଇଥିବାବେଳେ ନିୟମିତ ବ୍ୟବଧାନରେ ଏଠାରେ ମଦମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି। ସେହିପରି ଗତ ମାସରେ ଓଡ଼ିଶାରେ ମଧ୍ୟ ମଦ ମୃତ୍ୟୁ ଯୋଗୁଁ ଗଞ୍ଜାମ ଜିଲ୍ଲାର ଚିକିଟିରେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିଲା। ବିଷାକ୍ତ ମଦ ପିଇ ୫ ଜଣଙ୍କ ପ୍ରାଣହାନୀ ଘଟିବା ସହିତ ମୋଟ୍ ୧୬ ଜଣ ଅସୁସ୍ଥ ହୋଇଥିଲେ । ଏହି ସମୟରେ ବିରୋଧୀ ଅବକାରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ କୌଣସି ତାଳମେଳ ନଥିବା ଅଭିଯୋଗ ଆଣିବା ପରେ ଆକ୍ସନ ମୋଡକୁ ଆସିଥିଲା ଜିଲ୍ଲା ପ୍ରଶାସନ ଏବଂ ଅବକାରୀ ବିଭାଗ ।